ରୁଷ୍‌-ଆମେରିକା ମଝିରେ ଫସିଲେ ଜେଲେନସ୍କି! ଟ୍ରମ୍ପ କହିଲେ- ୟୁକ୍ରେନ୍‌ ରାଷ୍ଟ୍ରପତି ମୋତେ ପସନ୍ଦ ନୁହନ୍ତି

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଆମେରିକା ଓ ୟୁକ୍ରେନ୍‌ର ସମ୍ପର୍କରେ ବଢ଼ିଲା ତିକ୍ତତା। ଟ୍ରମ୍ପଙ୍କ ଉପରେ ଧୋକା ଦେବାର ଅଭିଯୋଗ ଆଣିଲେ ଜେଲେନସ୍କି। ଏପଟେ ୟୁକ୍ରେନ୍‌ର ୯ଟି ଅଞ୍ଚଳରେ ରୁଷ୍‌ର ଆକ୍ରମଣରେ ୧୫ ଜଣ ଆହତ ହୋଇଥିବା ଖବର ମିଳିଛି। ଅନ୍ୟପଟେ ରୁଷ୍‌ର ୬୪୪ଟି ୟୁକ୍ରେନୀୟ ଡ୍ରୋନ୍‌ ଖସାଇଥିବା ଦାବି କରିଛି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ।

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏପଟେ ଆମେରିକା ଓ ୟୁକ୍ରେନ୍‌ ମଧ୍ୟରେ ମଧ୍ୟ ବଢ଼ିବାରେ ଲାଗିଛି ତିକ୍ତତା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୟୁକ୍ରେନ୍‌କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି।

ଅନ୍ୟପଟେ ଟ୍ରମ୍ପ ମଧ୍ୟ ଜେଲେନସ୍କିଙ୍କୁ ପସନ୍ଦ କରୁନଥିବା କହିଛନ୍ତି। ଏହି ରାଜନୈତିକ ତିକ୍ତତା ମଧ୍ୟରେ ଶୁକ୍ରବାର ରୁଷ୍‌ ୟୁକ୍ରେନ୍‌ର ୯ଟି ଅଞ୍ଚଳ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି। ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ଅନେକ ଶକ୍ତି କେନ୍ଦ୍ର ଓ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି।

ଟ୍ରମ୍ପଙ୍କୁ କାହିଁକି ଦୋଷ ଦେଲେ ଜେଲେନସ୍କି: ୟୁକ୍ରେନ୍‌କୁ ଆମେରିକା ଧୋକା ଦେଇଥିବା ଅଭିଯୋଗ କରିବା ସହ ରୁଷ୍‌ ସହ ଟ୍ରମ୍ପ କରିଥିବା ଡିଜେଲ୍‌ କ୍ରୟ ଚୁକ୍ତିକୁ ଜେଲେନସ୍କି ସମାଲୋଚନା କରିଛନ୍ତି। ତାଙ୍କ ମତରେ, ଏଭଳି ପଦକ୍ଷେପ ୟୁକ୍ରେନ୍‌ର ସ୍ୱାର୍ଥକୁ ପ୍ରଭାବିତ କରିପାରେ।

ଅନ୍ୟପଟେ ଟ୍ରମ୍ପ କହିଛନ୍ତି ଯେ ସେ ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କୁ ପସନ୍ଦ କରନ୍ତି ନାହିଁ। ଦୁଇ ନେତାଙ୍କ ଏହି ବୟାନ ଯୁଦ୍ଧ ମଧ୍ୟରେ ଆମେରିକା-ୟୁକ୍ରେନ୍‌ ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ଆମେରିକା ଦେଉନି ଗୁଇନ୍ଦା ସୂଚନା: ୟୁରୋପୀୟ ସଂଘ (EU)ର ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ବେଲଜିୟମ୍‌ରେ ପହଞ୍ଚିଥିବା ଜେଲେନସ୍କି ୟୁରୋପୀୟ ନେତାମାନଙ୍କୁ ପ୍ରକୃତ ନେତା ବୋଲି କହିଛନ୍ତି। ସେ କହିଛନ୍ତି, ୟୁକ୍ରେନ୍‌ ଯୁଦ୍ଧର ଅନ୍ତ ଚାହୁଁଛି। କିନ୍ତୁ ରୁଷ୍‌ ପକ୍ଷରୁ ଯୁଦ୍ଧ ବନ୍ଦ କରିବା ନେଇ କୌଣସି ସଙ୍କେତ ମିଳୁନାହିଁ।

ଜେଲେନସ୍କି ଆହୁରି ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ୍‌କୁ ଏବେ ଆମେରିକାଠାରୁ ପୂର୍ବଭଳି ଉଚ୍ଚସ୍ତରୀୟ ଗୁଇନ୍ଦା ସୂଚନା ମିଳୁନାହିଁ। ଏହା ସହ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଷ୍ଟାରଲିଙ୍କ୍‌ର ସାମରିକ ସଂସ୍କରଣ ଷ୍ଟାରସିଲ୍ଡର ସିଗ୍ନାଲ୍‌ ବନ୍ଦ ହୋଇଯିବା ଯୋଗୁଁ ୟୁକ୍ରେନ୍‌ର ଡ୍ରୋନ୍‌ ଅଭିଯାନ ଓ ଯୁଦ୍ଧକ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ସେ କହିଛନ୍ତି।

ରୁଷ୍‌କୁ ଘେରିବ ୟୁରୋପୀୟ ସଂଘ: ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ମୁଖ୍ୟ କାଜା କାଲାସ୍‌ କହିଛନ୍ତି ଯେ ୟୁକ୍ରେନ୍‌ ପ୍ରସଙ୍ଗରେ ଆମେରିକାକୁ ଏକମତ କରିବାକୁ ୨୭ଟି ସଦସ୍ୟ ଦେଶ ଉଦ୍ୟମ କରିବେ। ଏହାଦ୍ୱାରା ଯୁଦ୍ଧ ଶେଷ କରିବା ପାଇଁ ରୁଷ୍‌ ଉପରେ ଅଧିକ ଚାପ ପକାଯାଇପାରିବ ବୋଲି ସେ ଆଶା ରଖିଛନ୍ତି।

ତେବେ ବର୍ତ୍ତମାନର ପରିସ୍ଥିତିରେ ଆମେରିକାକୁ ଏହି ପ୍ରସଙ୍ଗରେ ରାଜି କରାଇବା ସହଜ ନୁହେଁ ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି।

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ, ୬୪୪ ଖସାଇଥିବା ରୁଷ୍‌ର ଦାବି: ଅନ୍ୟପଟେ ୟୁକ୍ରେନ୍‌ ମଧ୍ୟ ଶୁକ୍ରବାର ରୁଷ୍‌ ଉପରେ ବଡ଼ ଧରଣର ଡ୍ରୋନ୍‌ ଆକ୍ରମଣ କରିଛି। ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଗୁରୁବାର ରାତିରୁ ଶୁକ୍ରବାର ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ୬୪୪ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି।

ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ କ୍ରିମିଆ ଓ କଳା ସାଗର ଅଞ୍ଚଳ ରହିଥିବା ରୁଷ୍‌ ପକ୍ଷରୁ କୁହାଯାଇଛି। ତେବେ ଏହି ସଂଖ୍ୟା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି ଉପରେ ଆଧାରିତ।

ମସ୍କୋରେ ୧୬୦ ବିମାନ ଉଡ଼ାଣ ପ୍ରଭାବିତ: ଡ୍ରୋନ୍‌ ଆକ୍ରମଣ ଓ ସୁରକ୍ଷାଜନିତ ପଦକ୍ଷେପ ଯୋଗୁଁ ରୁଷ୍‌ର ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ମସ୍କୋର ଚାରିଟି ବିମାନବନ୍ଦରରେ ପ୍ରାୟ ୧୬୦ଟି ବିମାନର ଉଡ଼ାଣ ବିଳମ୍ବିତ ହୋଇଥିବା, ମାର୍ଗ ପରିବର୍ତ୍ତନ କରାଯାଇଥିବା କିମ୍ବା ବାତିଲ୍‌ ହୋଇଥିବା ଖବର ମିଳିଛି।

ସେହିପରି ସେଣ୍ଟ ପିଟର୍ସବର୍ଗ ବିମାନବନ୍ଦରରେ ୪୬ଟି ବିମାନର ଉଡ଼ାଣ ବିଳମ୍ବିତ ହୋଇଥିବା କିମ୍ବା ବାତିଲ୍‌ କରାଯାଇଥିବା ଜଣାପଡ଼ିଛି।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଜାରି ରହିଥିବା ବେଳେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବଢ଼ୁଥିବା ତିକ୍ତତା ଆଗାମୀ ଦିନରେ ଯୁଦ୍ଧକୁ ନେଇ ଆମେରିକା ଓ ୟୁରୋପର ରଣନୀତି ଉପରେ କି ପ୍ରଭାବ ପକାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର।