ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିବା ହେଲା ଆହୁରି ମହଙ୍ଗା, କ୍ୟାସ୍ ଅନ୍ ଡେଲିଭରି ଉପରେ ଲାଗିଲା ଅତିରିକ୍ତ ଚାର୍ଜ
Zomatoରେ Cash on Delivery କଲେ ଦେବାକୁ ପଡ଼ିବ ଅତିରିକ୍ତ ଟଙ୍କା
ନୂଆଦିଲ୍ଲୀ: ଯଦି ଆପଣ ଅନଲାଇନ୍ରେ ଖାଦ୍ୟ ଅର୍ଡର କରନ୍ତି ଏବଂ ପେମେଣ୍ଟ ପାଇଁ Cash on Delivery (CoD) ବିକଳ୍ପ ବାଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ରିପୋର୍ଟ ଅନୁସାରେ, Zomato ଏବେ କିଛି ସ୍ଥାନରେ CoD ଅର୍ଡର ଉପରେ ଅତିରିକ୍ତ ଚାର୍ଜ ନେବା ଆରମ୍ଭ କରିଛି।
ବିଭିନ୍ନ ସ୍ଥାନରେ ଏହି ଫି ଭିନ୍ନ ରହୁଥିବା ଜଣାପଡ଼ିଛି। କିଛି ୟୁଜରଙ୍କ ଅନୁସାରେ, ଚାର୍ଜ ଅତିକମରେ ୫ ଟଙ୍କା ଥିବାବେଳେ କେତେକ ସ୍ଥାନରେ ଏହା ୨୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।
କେଉଁ କେଉଁ ଚାର୍ଜ ଯୋଡ଼ାଯାଏ: ଅନଲାଇନ୍ରେ ଖାଦ୍ୟ ଅର୍ଡର କରିବା ସମୟରେ ଗ୍ରାହକ କେବଳ ଖାଦ୍ୟର ମୂଲ୍ୟ ଦିଅନ୍ତି ନାହିଁ। ଏହା ସହିତ ଡେଲିଭରି ଚାର୍ଜ, ପ୍ଲାଟଫର୍ମ ଫି, GST ଏବଂ ରେଷ୍ଟୁରାଣ୍ଟ ପ୍ୟାକିଂ ଚାର୍ଜ ଭଳି ଅନେକ ଶୁଳ୍କ ଯୋଡ଼ି ହୋଇପାରେ।
ଏହାଛଡ଼ା ଡେଲିଭରି ପାର୍ଟନରଙ୍କ ଫି ଏବଂ ପ୍ଲାଟଫର୍ମ ଫି ଉପରେ ମଧ୍ୟ GST ଲାଗୁ ହୋଇପାରେ। ଫଳରେ କମ୍ ଟଙ୍କାର ଅର୍ଡର ମଧ୍ୟ ଶେଷରେ ଆଶାଠାରୁ ଅଧିକ ମହଙ୍ଗା ହୋଇଯାଏ। ଏବେ CoD ଉପରେ ନୂଆ ଚାର୍ଜ ଯୋଡ଼ାଯିବା ଫଳରେ ନଗଦରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ଖର୍ଚ୍ଚ ଆହୁରି ବଢ଼ିପାରେ।
Swiggyରେ ଏବେ ନାହିଁ ଏଭଳି ଚାର୍ଜ: CoD ଉପରେ ଅତିରିକ୍ତ ଫି ନେବାକୁ ନେଇ Zomato ୟୁଜରମାନେ ସୋସିଆଲ୍ ମିଡିଆରେ ନିଜ ଅଭିଯୋଗ ଏବଂ ଅନୁଭୂତି ସେୟାର କରୁଛନ୍ତି। ଅନ୍ୟପକ୍ଷରେ, Swiggy ବର୍ତ୍ତମାନ CoD ଅର୍ଡର ପ୍ରୋସେସିଂ ପାଇଁ ଏଭଳି ଅତିରିକ୍ତ ଚାର୍ଜ ନେଉନଥିବା ଜଣାପଡ଼ିଛି।
ସେହିପରି କ୍ୱିକ୍ କମର୍ସ ପ୍ଲାଟଫର୍ମ Zeptoକୁ ନେଇ ମଧ୍ୟ କିଛି ୟୁଜର ଅଭିଯୋଗ କରିଛନ୍ତି। ସେମାନଙ୍କ ଦାବି ଅନୁସାରେ, କିଛି CoD ଅର୍ଡରରେ ୨୫ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଫି ଯୋଡ଼ାଯାଇଛି। ତେବେ Zomato ପକ୍ଷରୁ ଏହି ନୂଆ CoD ଚାର୍ଜକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ସାମ୍ନାକୁ ଆସିନାହିଁ।
ପ୍ରଥମେ ବଢ଼ିଥିଲା Platform Fee, ଏବେ CoD ଚାର୍ଜ: ଏହା ପୂର୍ବରୁ Zomato ପ୍ଲାଟଫର୍ମ ଫି ମଧ୍ୟ ବଢ଼ାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ କମ୍ପାନୀ ଏହି ଫିକୁ ପ୍ରାୟ ୧୯.୨ ପ୍ରତିଶତ ବଢ଼ାଇ ୧୪.୯୦ ଟଙ୍କା କରିଥିଲା, ଯାହା ପୂର୍ବରୁ ୧୨.୫୦ ଟଙ୍କା ଥିଲା।
କମ୍ପାନୀର ମୋବାଇଲ୍ ଆପ୍ରେ ଉପଲବ୍ଧ ସୂଚନା ଅନୁସାରେ, ବର୍ତ୍ତମାନ ପ୍ଲାଟଫର୍ମ ଫି ୧୪.୯୯ ଟଙ୍କା (GST ବିନା) ରହିଛି। ଏହା ସହିତ ଡେଲିଭରି ଫି ଏବଂ ଅନ୍ୟାନ୍ୟ ଶୁଳ୍କ ଯୋଡ଼ିବା ପରେ CoD ଉପରେ ଅତିରିକ୍ତ ଫି ଲାଗୁ ହେବା ଫଳରେ ଅନଲାଇନ୍ ଖାଦ୍ୟ ଅର୍ଡର କରିବାର ମୋଟ ଖର୍ଚ୍ଚ ଆହୁରି ବଢ଼ିପାରେ।

