ଜଳୁଛି ନେପାଳ, ଜେଲରୁ ୬୦୦୦ କଏଦୀ ଫେରାର, ନେପାଳରୁ ଫେରାଦ କଏଦୀଙ୍କର ଭାରତରେ ପ୍ରବେଶ କରିବାକୁ ଉଦ୍ୟମ…
"ଆମେ ନେପାଳରେ ରହିବୁନି ଭାରତ ଜେଲରେ ରହିବୁ"।
ନୂଆଦିଲ୍ଲୀ: ଭାରତର ପଡ଼ୋସୀ ଦେଶ ନେପାଳର ସ୍ଥିତି ଦିନକୁ ଦିନ ଅଧିକ ବିଗାଡ଼ିବାରେ ଲାଗିଛି। ସରକାର ବିରୋଧୀ ବିକ୍ଷୋଭ ୩ ଦିନରେ ପହଞ୍ଚିଲାଣି। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ନେତା ମନ୍ତ୍ରୀ ପଦ ଛାଡ଼ି ସାରିଲେଣି, ହେଲେ ବିକ୍ଷୋଭ ପ୍ରଦର୍ଶନ ଥମିବାର ନାଁ ଧରୁନି।
ନେପାଳର ୧୮ଟି ଜିଲ୍ଲାର ଜେଲରୁ ପ୍ରାୟ ୬ ହଜାର କଏଦୀ ଖସି ପଳାଇଗଲେଣି। ଏହି ସମୟରେ ଏକ ରିପୋର୍ଟ ଆସିଛି କି ନେପାଳର ଜେଲରୁ ଖସି ପଳାଇଥିବା ୫ ଜଣ କଏଦୀ ଭାରତ-ନେପାଳ ସୀମା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି।
କିନ୍ତୁ ଏହି ଅନୁପ୍ରବେଶକାରୀମାନେ ସେମାନଙ୍କ ଯୋଜନାରେ ସଫଳ ହୋଇପାରି ନଥିଲେ ଏବଂ ସେମାନଙ୍କୁ ଗିରଫ କରାଯାଇଛି। କିନ୍ତୁ ନେପାଳରେ ଉତ୍ତେଜନା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି।
ଭାରତୀୟ ଜେଲରେ ରହିବୁ: SSB ନେପାଳ ଜେଲରୁ ଖସିଯାଇଥିବା ୫ ଜଣ କଏଦୀଙ୍କୁ ଧରିଛି ଏବଂ ସେମାନଙ୍କ ସହ କଥା ହୋଇଛି। ଏହି କଏଦୀମାନେ କହିଛନ୍ତି ଯେ ନେପାଳର ପରିସ୍ଥିତି ଏତେ ଖରାପ ଯେ ସେଠାରେ ଲୋକମାନଙ୍କୁ ହତ୍ୟା କରାଯାଉଛି। ତେଣୁ ସେମାନେ ଭାରତୀୟ ଜେଲରେ ରହିବାକୁ ଚାହୁଁଛନ୍ତି ନେପାଳ ଯିବେନାହିଁ।
ପୂରା ଘଟଣା କ’ଣ: ସଶସ୍ତ୍ର ସୀମା ବଳ (SSB) ନେପାଳ ଜେଲରୁ ପଳାୟନ କରିଥିବା ପାଞ୍ଚ ଜଣ କଏଦୀଙ୍କୁ ଗିରଫ କରିଛି। ଯେଉଁମାନେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।
ସିଦ୍ଧାର୍ଥନଗର ଅଞ୍ଚଳର ଭାରତ-ନେପାଳ ସୀମାରେ ଏହି ଗିରଫଦାରୀ କରାଯାଇଥିଲା ଏବଂ କଏଦୀମାନଙ୍କୁ ପରବର୍ତ୍ତୀ ତଦନ୍ତ ପାଇଁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।
ନେପାଳରେ ଉତ୍ତେଜନା: ନେପାଳରେ ସୋସିଆଲ ମିଡିଆ ପ୍ଲାଟଫର୍ମ (ଯେପରିକି ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ଏବଂ ଏକ୍ସ) ଉପରେ ପ୍ରତିବନ୍ଧକ ଲଗାଇବା ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା।
ଏହି ପ୍ରତିବାଦଗୁଡ଼ିକରେ ଜେନ-ଜେଡ ପିଢ଼ିର ଲୋକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। କିନ୍ତୁ ପରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଏହାପରେ ନେପାଳର ରାଜଧାନୀ କାଠମାଣ୍ଡୁ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା ଏବଂ ଏହା ହିଂସାର ରୂପ ନେଇଥିଲା।
ଏହି ସମୟ ମଧ୍ୟରେ ଅନେକ ନେତାଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ କ୍ରୋଧ ଥମି ନଥିଲା ଏବଂ ସେମାନେ ଅନେକ କୋଠାରେ ନିଆଁ ଲଗାଇ ଦେଇଥିଲେ।
ବର୍ତ୍ତମାନ ପରିସ୍ଥିତି ଏପରି ଯେ ନେପାଳ ଜଳୁଛି ଏବଂ ସେନା ଏହାର କମାଣ୍ଡ ନିଜ ହାତରେ ନେଇ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛି। ସେନା ପ୍ରତିବାଦକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛି ଏବଂ କହିଛି ଯେ ପ୍ରତିବାଦକାରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ ହୋଇପାରିବ।