fbpx

ଆଡପ ଦର୍ଶନ ହେଲା ଶେଷ ଦର୍ଶନ, ସନ୍ଧ୍ୟା ଦର୍ଶନ ପରେ ଭକ୍ତଙ୍କ ଶେଷ ଯାତ୍ରା

ଭୁବନେଶ୍ୱର:  ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ମହାପ୍ରଭୁଙ୍କ ଆଡପ ଦର୍ଶନ ଥିଲା । ସନ୍ଧ୍ୟା ୫ଟା ୨୦ ରେ ଏହି ଦର୍ଶନ ବନ୍ଦ ହୋଇଥିଲା । ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଥିଲା । କିନ୍ତୁ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମହାପ୍ରଭୁଙ୍କ ଆଡପ ଦର୍ଶନ ଲାଗି ଯାଇଥିବା ଜଣେ ଶ୍ରଦ୍ଧାଳୁଙ୍କର ଦର୍ଶନ ପରେ ଜୀବନ ଚାଲିଯାଇଛି । ନବମୀ ସନ୍ଧ୍ୟା ଦର୍ଶନ ତାଙ୍କ ପାଇଁ ଶେଷ ଦର୍ଶନ ହୋଇଛି । ଜଣେ ଭକ୍ତ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରୁଥିିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁହୋଇଯାଇଛି । ମୃତ ବ୍ୟକ୍ତିଙ୍କ ଘର ପୁରୀ ଜିଲ୍ଲା କାକଟପୁର ହୋଇଥିବା ବେଳେ ତାଙ୍କ ନାମ ଲକ୍ଷ୍ମୀଧର ଖୁଣ୍ଟିଆ (ବୟସ ୮୨) ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଶ୍ରୀ ଖୁଣ୍ଟିଆ ଆଜି ଦିନ ୧୧ଟା ବେଳେ କାକଟପୁରସ୍ଥିତ ନିଜ ଘରୁ ସପରିବାର ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାଇଥିଲେ। ଅପରାହ୍‌ଣରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀଜିଉମାନଙ୍କ ଦର୍ଶନ ସାରି ମନ୍ଦିର ବାହାରକୁ ଆସୁଥିଲେ। ନବମୀ ଅବସରରେ ଶରଧାବାଲିରେ ପ୍ରବଳ ଭିଡ଼ ଯୋଗୁଁ ଅସୁସ୍ଥତା ଅନୁଭବ କରି ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥି‌ଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Get real time updates directly on you device, subscribe now.