ନୂଆଦିଲ୍ଲୀ: BSNL ବର୍ତ୍ତମାନ ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ମଧ୍ୟ ବିଭିନ୍ନ ତରିକା ଆପଣାଉଛି । ଏହାରି ଭିତରେ ନୂଆ ଲୋଗୋ ପରିବର୍ତ୍ତନ କରିଛି କମ୍ପାନୀ । ତେବେ ଖୁବଶୀଘ୍ର 5 ଜି ସେବା ଆରମ୍ଭ କରିବା ନେଇ ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା କେତେକ ସ୍ଥାନରେ 4ଜି ସେବା ଜାରି ରହିଥିବା ବେଳେ ଅଳ୍ପ କିଛି ଦିନ ମଧ୍ୟରେ ସବୁ ସ୍ଥାନରେ ଏହା ଲାଗୁ ହେବା ନେଇ ସୂଚନା ରହିଛି । ଏହା ବ୍ୟତୀତ, BSNL କିଛି ନୂଆ ଫିଚର ମଧ୍ୟ ପ୍ରଦାନ କରୁଛି ଯାହା ଦ୍ବାରା ଲୋକମାନେ ନେଟୱାର୍କକୁ ପସନ୍ଦ କରୁଛନ୍ତି । ସ୍ପାମ ଫ୍ରି ନେଟକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ । ନିଜେନିଜେ ସ୍ପାମ ମେସେଜ ହଟାଉଛି କମ୍ପାନୀ ।
BSNL ବର୍ତ୍ତମାନ ଏହାର ଫାଇବର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିଛି । ଏହାର ନାମ ନ୍ୟାସନାଲ ୱାଇ-ଫାଇ ରୋମିଂ ରଖାଯାଇଛି । ଏହାର ଅର୍ଥ ଆପଣ BSNL ର ୱାଇ-ଫାଇ ହଟସ୍ପଟରେ ଅତିରିକ୍ତ ଚାର୍ଜ ବିନା ଦ୍ରୁତ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଯାହାକି ଡାଟା ଖର୍ଚ୍ଚ ହ୍ରାସ କରିବ । ଏହା ସହିତ BSNL ଏକ ନୂତନ ଫାଇବର ଟିଭି ମଧ୍ୟ ଆଣିଛି, ଯେଉଁଥିରେ 500 ରୁ ଅଧିକ ଚ୍ୟାନେଲ ରହିଛି । ଫାଇବର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏସବୁ ମାଗଣା ରହିଛି ।
BSNL ଶୀଘ୍ର ଏପରି ମେସିନ୍ ସଂସ୍ଥାପନ କରିବ ଯେଉଁଠାରେ ଆପଣ ନିଜ ସିମ୍ କାର୍ଡ କିଣି ପାରିବେ, ପରିବର୍ତ୍ତନ କରିପାରିବେ କିମ୍ବା ଅପଗ୍ରେଡ୍ କରିପାରିବେ । C-DAC ସହଯୋଗରେ ଖଣି ମାଇନିଂ କାର୍ଯ୍ୟ ପାଇଁ BSNL ଏକ ସ୍ୱତନ୍ତ୍ର 5G ନେଟୱାର୍କ ମଧ୍ୟ ତିଆରି କରିଛି । ଏହି ନେଟୱାର୍କ ଭାରତରେ ତିଆରି ହୋଇଥିବା ବେଳେ ଖଣିରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷା ଏବଂ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବ । ସାଟେଲାଇଟ ଏବଂ ମୋବାଇଲ୍ ନେଟୱାର୍କକୁ ସଂଯୋଗ କରୁଥିବା BSNL ଭାରତରେ ପ୍ରଥମ ଥର ପାଇଁ D2D ନେଟୱାର୍କ ଲଞ୍ଚ କରିଛି । ଜରୁରୀକାଳୀନ ପରିସ୍ଥିତି କିମ୍ବା ଦୁର୍ଗମ ଅଞ୍ଚଳରେ ଏହା ଅତ୍ୟନ୍ତ ଉପଯୋଗୀ ହେବ । ଇଣ୍ଟରନେଟ୍ ବିନା ମଧ୍ୟ ଆପଣ ଏହା ମାଧ୍ୟମରେ ପେମେଣ୍ଟ୍ କରିପାରିବେ ।