କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୁବ ପ୍ରତିଭାବାନ ଭଲି ବଲ୍ ତାରକା ଦେବାଶିଷ ଜେନା ସ୍କୁଲ ସ୍ତରୀୟ ୧୯ ବର୍ଷରୁ କମ୍ ରାଜ୍ୟ ଭଲି ବଲ୍ ଦଳ ଲାଗି ପୁଣି ଥରେ ମନୋନୀତ ହୋଇଛନ୍ତି। ଏଥର ତେଲେଙ୍ଗାନା ରାଜ୍ୟର କୋସଗି,ନାରାୟଣପେଟା ଠାରେ ଜାତୀୟ ସ୍କୁଲ କ୍ରୀଡ଼ା ଲାଗି ୧୯ ବର୍ଷରୁ କମ୍ ଛାତ୍ର ଭଲି ବଲ ପ୍ରତିଯୋଗିତା ଚଳିତ ଡିସେମ୍ବର ୨୦ରୁ ୨୭ ତାରିଖ ଯାଏ ଅନୁଷ୍ଠିତ ହେବ ସେଠାରେ ଓଡ଼ିଶା ଦଳ ତରଫରୁ ଦେବାଶିଷ ଜେନା ଯାଇ ଖେଳିବେ। ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସାଇଁକୂଳ ଗ୍ରାମର ପିପିଏଚଏସ୍ ସ୍କୁଲର ଛାତ୍ର ଭାବେ ଏବେ ଶ୍ରୀମାନ ଦେବାଶିଷ ଜେନା ଅଧ୍ୟୟନରତ ଅଛନ୍ତି। ତାଙ୍କର ଏହି ସଫଳତା ଲାଗି ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁବ୍ ଖୁସି ହୋଇଛନ୍ତି।
ଦେବାଶିଷଙ୍କ ବାପା ରଂଜନ କୁମାର ଜେନା ଓ ମାଆ ଡଲି ରାଣୀ ଜେନା ଉଭୟେ ପୋଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି। କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଡ଼. ଜନାର୍ଦ୍ଦନ ଦାଶ ଓ ଯୁଗ୍ମ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଶ୍ରୀ ଦେବାଶିଷ ଜେନାଙ୍କ ସଫଳତା ଲାଗି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l କ୍ରୀଡା କ୍ଷେତ୍ରରେ ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶ୍ରୀମାନ ଜେନାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l