କେକେଆର୍ ରିଟେନ୍ ନ ହେବା ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର 

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ୱ ନେଇଥିବା ଶ୍ରେୟସ ଆୟର କହିଛନ୍ତି ଯେ କେକେଆର୍ ରିଟେନ୍ ହୋଇନଥିବାରୁ ସେ ନିଶ୍ଚିତ ଭାବେ ନିରାଶ ହୋଇଛନ୍ତି।

‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଆଇଡିଆ ଏକ୍ସଚେଞ୍ଜରେ ଆଇପିଏଲ୍ ୨୦୨୫ ମେଗା ନିଲାମ ସମ୍ପର୍କରେ ଶ୍ରେୟସ ଆୟର କହିଛନ୍ତି, ହଁ, ମୁଁ ସ୍ପଷ୍ଟ ଭାବେ ନିରାଶ ଥିଲି।

କେକେଆର ଶ୍ରେୟସ ଆୟରଙ୍କୁ ମୁକ୍ତ କରିଥିଲା ଏବଂ ପରେ ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ଏକାଦଶ ତାଙ୍କୁ ୨୬.୭୫ କୋଟି ଟଙ୍କାର ରେକର୍ଡ ବିଡ୍ ରେ କିଣିଥିଲା।

ପ୍ରଥମ ଥର ପାଇଁ ଶ୍ରେୟସ କେକେଆର୍ ଦ୍ୱାରା ରିଟେନ୍ ନ ହେବା ନେଇ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି, କେକେଆରରେ ମୋର ସମୟ ନିଶ୍ଚିତ ଭାବେ ଚମତ୍କାର ଥିଲା।

ସେଠାରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ମୁଁ ଉପଭୋଗ କରିଥିଲି। ଆଇପିଏଲ୍ ଚାମ୍ପିୟନଶିପ୍ ପରେ ଆମେ ସିଧାସଳଖ କଥା ହୋଇଥିଲୁ, କିନ୍ତୁ ଏହା ପରେ କିଛି ସ୍ପଷ୍ଟ ହୋଇନଥିଲା।

ମୋତେ ସେମାନେ ଯୋଗାଯୋଗ କରିନଥିଲେ। କୌଣସି ଠୋସ୍ ପ୍ରୟାସ କରାଯାଇନଥିଲା। କ’ଣ ଘଟୁଛି ସେ ନେଇ ମୁଁ ଦ୍ୱନ୍ଦ୍ୱରେ ଥିଲି>

ତେଣୁ ଯୋଗାଯୋଗ ଅଭାବରୁ ଆମେ ଏପରି ପରିସ୍ଥିତିରେ ପହଞ୍ଚିଥିଲୁ ଯେଉଁଠାରେ ଆମେ ପାରସ୍ପରିକ ସହମତିରେ ଅଲଗା ହୋଇଥିଲୁ।