ଏଥର କର ବା ମର ଲଢ଼େଇ, ନଚେତ…ଟିମ୍ରୁ ବାହାରିବେ ଏହି ଖେଳାଳି
ଭାରତୀୟ ଷ୍ଟାର୍ ଖେଳାଳିଙ୍କୁ ମିଳିଲା କଡ଼ା ଚେତାବନୀ, ନମାନିଲେ ଟିମ୍ରୁ କରାଯିବ ବାହାର
ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ନୂଆ ଟି-୨୦ ଦଳ ପ୍ରସ୍ତୁତିରେ ବ୍ୟସ୍ତ ରହିଛି। ଅଭିଷେକ ଶର୍ମା ସେହି ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ ଟପ୍ ଅର୍ଡରରେ ଲଗାତାର ସୁଯୋଗ ପାଇଛନ୍ତି କିନ୍ତୁ ସେ ଭଲ ପ୍ରଦର୍ଶନ ଦେଖାଇବାରେ ବିଫଳ ହୋଇଛନ୍ତି।
ଅଭିଷେକ ୨୦୨୪ ଜୁଲାଇରେ ଜିମ୍ବାୱେ ବିପକ୍ଷରେ ମାତ୍ର ୪୭ ବଲ୍ ରେ ଶତକ ହାସଲ କରିବାର ଦକ୍ଷତା ରଖିଛନ୍ତି। ଏବେ ଅଭିଷେକଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ।
ଅଭିଷେକ ଶର୍ମାଙ୍କ ଫର୍ମକୁ ନେଇ ଚିନ୍ତା ପ୍ରକଟ କରି ଆକାଶ ଚୋପ୍ରା କହିଛନ୍ତି, ଅଭିଷେକଙ୍କ ଫର୍ମରେ ଉତ୍ଥାନ-ପତନ ଆସିଛି। କ୍ୟାରିୟରର ଦ୍ୱିତୀୟ ଟି-୨୦ ମ୍ୟାଚରେ ସେ ଜିମ୍ବାୱେ ବିପକ୍ଷରେ ଶତକ ହାସଲ କରିଥିଲେ।
ସେମାନେ ପ୍ରତିଭାରେ ଭରପୂର, କିନ୍ତୁ ପ୍ରଦର୍ଶନରେ ଉନ୍ନତି ହୋଇନାହିଁ। ମୁଁ ଭାବୁଛି ଏହା ସେମାନଙ୍କର ଶେଷ ସୁଯୋଗ । ଯଦି ସେମାନେ ଭଲ ପ୍ରଦର୍ଶନ କରନ୍ତି, ତେବେ ଏହା ଏକ ଭଲ କଥା ହେବ। ଏହି ୫ଟି ମ୍ୟାଚ୍ ରେ ସେମାନଙ୍କୁ ସବୁ କିଛି କରିବାକୁ ପଡ଼ିବ।
କର ବା ମର: ଆକାଶ ଚୋପ୍ରା କହିଛନ୍ତି ଯେ ଅଭିଷେକ ଶର୍ମାଙ୍କୁ ସେହି କାମ କରିବାକୁ ପଡିବ ଯାହା ସଞ୍ଜୁ ସାମସନ ଗତ ୩ ଟି ମ୍ୟାଚରେ କରିଛନ୍ତି । ଯଦି ଏହା ନହୁଏ, ତେବେ ଯଶସ୍ୱୀ ଜୟସ୍ୱାଲ କିମ୍ବା ଅନ୍ୟ କେହି ତାଙ୍କ ସ୍ଥାନ ନେବେ।
ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ଟି-୨୦ କ୍ରିକେଟରେ ୧୧ ଟି ଇନିଂସରେ ୧୭୧.୮୧ ଷ୍ଟ୍ରାଇକ୍ ରେଟ୍ ରେ ୨୫୬ ରନ୍ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ବହୁତ ଭଲ, କିନ୍ତୁ ହାରାହାରି ୨୩.୨୭ ଚିନ୍ତାଜନକ। ବର୍ତ୍ତମାନ ସୁଦ୍ଧା ଅଭିଷେକ ତାଙ୍କ ଟି-୨୦ କ୍ୟାରିୟରରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି।
କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଜାନୁଆରୀ ୨୨ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଏହା ପ୍ରଥମ ମ୍ୟାଚ୍ ହେବ। ଇଡେନ୍ ଗାର୍ଡେନ୍ସରେ ଭାରତ ଓ ଇଂଲଣ୍ଡ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିବା ବେଳେ ଇଂଲଣ୍ଡ ବିଜୟୀ ହୋଇଥିଲା।