11ତମ ପଞ୍ଚେନ ଲାମା କିଏ? ଯାହାଙ୍କୁ 30ବର୍ଷ ପୂର୍ବରୁ 6 ବର୍ଷ ବୟସରେ ଚୀନ୍ ଗାୟବ କରିଦେଇଥିଲା
30 ବର୍ଷ ପୂର୍ବରୁ ଚୀନ ଦ୍ବାରା ଗାୟବ କରାଯାଇଥିବା ତିବ୍ଦତୀୟ ବୌଦ୍ଧ ଧର୍ମରେ ଦ୍ୱିତୀୟ ସବୁଠାରୁ ବଡ ଧାର୍ମିକ ନେତା(ପଞ୍ଚେନ ଲାମା) ଗେଧୁନ୍ ଚୋଏକି ନିଜମାଙ୍କ ବିଷୟରେ ଏବେ ସ୍ୱର ଉଠାଇଛି ଆମେରିକା
ଓଡିଶା ଭାସ୍କର : ତିବ୍ଦତୀୟ ବୌଦ୍ଧ ଧର୍ମରେ ଦ୍ୱିତୀୟ ସବୁଠାରୁ ବଡ ଧାର୍ମିକ ନେତା ଗେଧୁନ୍ ଚୋଏକି ନିଜମାଙ୍କ ନିଖୋଜ ବିଷୟରେ ଆମେରିକା ସ୍ୱର ଉଠାଇଛି , ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗେଧୁନ୍ ଚୋଏକି ନିଜମାଙ୍କୁ 30 ବର୍ଷ ପୂର୍ବେ ଚୀନ ସରକାର ଅଟକ ରଖିଥିଲେ, କିନ୍ତୁ ତାଙ୍କର ପତ୍ତା ଆଜି ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ ।
ପଞ୍ଚେନ ଲାମା କିଏ ?
ତିବ୍ଦତୀୟ ବୌଦ୍ଧ ଧର୍ମରେ ଦଲାଇ ଲାମାଙ୍କ ପରେ ଗେଧୁନ୍ ଚୋଏକି ନିଜମା ହେଉଛନ୍ତି ଦ୍ୱିତୀୟ ସର୍ବୋଚ୍ଚ ବ୍ୟକ୍ତି। ଯାହାଙ୍କ ଜନ୍ମ 25 ଏପ୍ରିଲ 1989ରେ ତିବ୍ଦତରେ ହୋଇଥିଲା। ତାଙ୍କୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ ବିବାଦ ପୁଣି ତୀବ୍ର ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନିଜେ ଚୀନରୁ 11 ତମ ‘ପଞ୍ଚେନ ଲାମା’ ଗେଧୁନ୍ ଚୋଏକି ନିଜମାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି।
ରୁବିଓ କହିଛନ୍ତି ଯେ, ଗେଧୁନ୍ ଚୋଏକି ନିଜମାଙ୍କୁ 30 ବର୍ଷ ପୂର୍ବେ ଚୀନ୍ କର୍ତ୍ତୃପକ୍ଷ ଅପହରଣ କରିଥିଲେ । ସେତେବେଳେ ସେ ମାତ୍ର ଛଅ ବର୍ଷ ବୟସର ଥିଲେ। ଦଲାଇ ଲାମା 14 ମଇ 1995 ରେ ଗେଧୁନ୍ ଚୋଏକି ନିଜମାଙ୍କୁ 11ତମ ପାଞ୍ଚେନ ଲାମା ଭାବରେ ମାନ୍ୟତା ଦେଇଥିଲେ।
କିନ୍ତୁ ଏହା ଦେଖି ଚୀନ ଚିନ୍ତିତ ଥିଲା। କାହିଁକି ନା ସେମାନେ ଚାଁହୁଥିଲେ ତିବ୍ଦତୀୟ ବୌଦ୍ଧ ଧର୍ମର ଶ୍ରେଷ୍ଠ ଧାର୍ମିକ ନେତାମାନଙ୍କ ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ। ସେଥିପାଇଁ ଦଲାଇ ଲାମା ମଧ୍ୟ ତାଙ୍କ ପାଇଁ କଣ୍ଟା ଥିଲେ। ତା ପରେ ଯେତେବେଳେ ଦଲାଇ ଲାମା ଗେଧୁନ୍ ଚୋଏକି ନିଜମାଙ୍କୁ 11ତମ ପାଞ୍ଚେନ ଲାମା ଭାବରେ ମାନ୍ୟତା ପ୍ରଦାନ କଲେ ସେତେବେଳେ ଚୀନ ଚିନ୍ତିତ ହୋଇଗଲା ଏବଂ ତାହାର ଠିକ 3ଦିନ ପରେ ପାଞ୍ଚେନ ଲାମା ଏବଂ ତାଙ୍କ ପରିବାରକୁ ଅପହରଣ କରିନେଲା ।
କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନର କହିବା ଅନୁସାରେ, 14ତମ ଦଲାଇ ଲାମାଙ୍କଠାରୁ ସ୍ୱୀକୃତି ପାଇବାର ମାତ୍ର ତିନି ଦିନ ମଧ୍ୟରେ, 11ତମ ପଞ୍ଚେନ ଲାମା ନିଜମା ଏବଂ ତାଙ୍କ ପରିବାରକୁ ଚୀନ ଅପହରଣ କରିନେଇଯାଇଥିଲା , ଯାହା 30 ବର୍ଷ ପରେ ମଧ୍ୟ କେହି ବି ଜାଣିନାହାନ୍ତି ସେ ଏବେ କେଉଁଠି ଏବଂ କେଉଁ ଅବସ୍ଥାରେ ଅଛନ୍ତି।
ତିବ୍ଦତ ପୂର୍ବରୁ ଏକ ସ୍ୱାଧୀନ ରାଷ୍ଟ୍ର ଥିଲା, କିନ୍ତୁ 1959 ମସିହାରେ ଚୀନ୍ ସାମରିକ ଶକ୍ତି ଆଧାରରେ ଏହାକୁ ଅକ୍ତିଆର କରିଥିଲା। ତିବ୍ଦତୀୟ ନାଗରିକମାନେ ନିରନ୍ତର ସ୍ୱାୟତ୍ତତା, ସାଂସ୍କୃତିକ-ଧାର୍ମିକ ଏବଂ ରାଜନୈତିକ ଅଧିକାର ଦାବି କରିଆସୁଛନ୍ତି। କିନ୍ତୁ ଚୀନ୍ ସରକାର କହିଆସୁଛନ୍ତି ଯେ, ତିବ୍ଦତ ଏହାର ଅବିଚ୍ଛେଦ୍ୟ ଅଙ୍ଗ। ମାନବାଧିକାର ଉଲ୍ଲଂଘନ କରି ଚୀନ୍ ସରକାର ତିବ୍ଦତୀୟମାନଙ୍କ ସ୍ୱରକୁ ନିରନ୍ତର ଦମନ କରିଆସୁଛି।