ସ୍ତ୍ରୀର ଅସ୍ତି ବିସର୍ଜନ କରିବାକୁ ଲଣ୍ଡନରୁ ଭାରତ ଆସିଥିଲେ ସ୍ୱାମୀ, ବିମାନ ଦୁର୍ଘଟଣାରେ ମୃତ୍ୟୁ, ଅପେକ୍ଷା କରିଛି ଝିଅ
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା। ସେପଟେ ଲଣ୍ଡନରେ ବାପାଙ୍କୁ ଅପେକ୍ଷା କରି ବସିଛନ୍ତି ଦୁଇ କୁନି ଝିଅ।
ଅହମ୍ମଦାବାଦ: ଅହମ୍ମଦାବାଦରେ ହୋଇଥିବା ଭୟାନକ ବିମାନ ଦୁର୍ଘଟଣାରେ ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସୁଛି। ବିବାହ ପରେ କିଏ ସ୍ୱାମୀକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲା ତ ଆୁ କିଏ ନିଜ କାମରେ ଯାତ୍ରା କରୁଥିଲା।
ହେଲେ ଗୁରୁବାରର ବିମାନ ଦୁର୍ଘଟଣା ଜଣେ ଯାତ୍ରୀଙ୍କୁ ଛାଡ଼ି ଆଉ ସମସ୍ତଙ୍କର ଶେଷ ଯାତ୍ରା ପାଲଟିଲା। ଆଉ ତା ଭିତରେ ଆଉ ଏକ ଦୁଃଖଦ କାହାଣୀ ଆସିଛି, ଯାହା ଆପଣଙ୍କୁ ଦୋହଲାଇ ଦେବ।
ଅସ୍ତି ବିସର୍ଜନ: ତେବେ ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସ୍ତ୍ରୀର ସପ୍ତାହେ ତଳେ ମୃତ୍ୟୁ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କ ଅସ୍ତି ବିସର୍ଜନ କରିବାକୁ ଭାରତ ଆସିଥିଲେ। ଏହାପରେ ସେ ସ୍ତ୍ରୀର ଅସ୍ତି ବିସର୍ଜନ ସାରି ଗୁରୁବାର ଦିନ ଅହମ୍ମଦବାଦରେ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଲଣ୍ଡନ ଫେରୁଥିଲେ।
ହେଲେ ଏହି ଭୟଙ୍କର ଦୁର୍ଘଟଣାରେ ସେ ଜଳିଗଲେ। ଏବଂ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲେ ବଡ଼ କଥା ହେଉଛି ତାଙ୍କର ଅନ୍ତିମ ସଂସ୍କାର କିଏ କରିବ। କାରଣ ତାଙ୍କର ଦୁଇଟି ପିଲା ଅଛନ୍ତି, ଯେଉଁମାନେକି ଅତ୍ୟନ୍ତ ଛୋଟ ଏବଂ ସେମାନେ ଏବେ ଲଣ୍ଡନରେ ବାପାଙ୍କୁ ଅପେକ୍ଷା କରି ବସିଛନ୍ତି।
ସ୍ତ୍ରୀଙ୍କ ମୃତ୍ୟୁ: ସୂଚନା ଅନୁଯାୟୀ, ଅମରେଲିର ୱାଡିଆ ନିବାସୀ ଅର୍ଜୁନଭାଇ ମନୁଭାଇ ପଟୋଲିଆଙ୍କ ପତ୍ନୀ ଭାରତୀବେନଙ୍କର ସାତ ଦିନ ପୂର୍ବରୁ ଲଣ୍ଡନରେ ମୃତ୍ୟୁ ହୋଇଥିଲା।
ପତ୍ନୀଙ୍କ ଇଚ୍ଛା ଥିଲା ଯେ ତାଙ୍କ ଅସ୍ତି ଆମରେଲି ଜିଲ୍ଲାର ତାଙ୍କ ପୈତୃକ ଗ୍ରାମର ପୋଖରୀ ଏବଂ ନଦୀରେ ବିସର୍ଜନ କରାଯାଉ। ଅର୍ଜୁନ ତାଙ୍କ ପତ୍ନୀଙ୍କ ଇଚ୍ଛା ଅନୁସାରେ ଚିତାଭସ୍ମ ବିସର୍ଜନ ପାଇଁ ଗୁଜରାଟ ଆସିଥିଲେ।
ଏହା ପରେ, ସେ ଆମରେଲିରେ ଅବସ୍ଥିତ ଗାଁରେ ତାଙ୍କ ସମ୍ପର୍କୀୟଙ୍କ ସହିତ ଚିତାଭସ୍ମ ବିସର୍ଜନ ସମ୍ବନ୍ଧୀୟ ପୂଜା କରିଥିଲେ ଏବଂ ବିସର୍ଜନ କରାଇଥିଲେ। ଏହା ପରେ, ସେ ଏୟାର ଇଣ୍ଡିଆ ବିମାନରେ ଲଣ୍ଡନ ଫେରୁଥିଲେ।
କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଫେରି ପାରିଲେ ନାହିଁ ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା। ଏବେ ତାଙ୍କର ଶେଷକୃତ୍ୟ କିଏ କରିବ? ତାଙ୍କ ଦୁଇ ଝିଅ ଲଣ୍ଡନରେ ଅଛନ୍ତି।
ବାପାଙ୍କୁ ଅପେକ୍ଷା କରିଛନ୍ତି ଝିଅ: ବିମାନ ଦୁର୍ଘଟଣା ଖବର ଶୁଣିବା ପରେ, ଅମରେଲିରେ ଥିବା ଅର୍ଜୁନଭାଇଙ୍କ ସମ୍ପର୍କୀୟ ଏବଂ ପରିଚିତ ଲୋକଙ୍କ ଘରେ ଶୋକ ଖେଳିଯାଇଛି। ଅର୍ଜୁନଭାଇଙ୍କର ଦୁଇଟି ପିଲା ଅଛନ୍ତି, ଯେଉଁମାନେ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି।
ସେ ପିଲାମାନଙ୍କୁ ଲଣ୍ଡନରେ ଛାଡି ଗୁଜୁରାଟ ଆସିଥିଲେ। ତାଙ୍କର ୮ ବର୍ଷ ଏବଂ ୪ ବର୍ଷ ବୟସର ଦୁଇଟି ଝିଅ ଅଛନ୍ତି। ଉଭୟ ଝିଅ ସେମାନଙ୍କର ମାଆ ଏବଂ ବାପାଙ୍କୁ ହରାଇଛନ୍ତି। ଅର୍ଜୁନଭାଇଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କ ମାଆ ସୁରଟରେ ରୁହନ୍ତି।