fbpx

ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ଉତ୍ତର ପ୍ରଦେଶ ପୋଲିସକୁ ଆଶ୍ୱସ୍ତି, ସୁପ୍ରିମକୋର୍ଟ ଦେଲେ କ୍ଲିନ ଚିଟ୍

ନୂଆଦିଲ୍ଲୀ ୨୧ ।୦୪ : ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ଉତ୍ତର ପ୍ରଦେଶ ପୋଲିସକୁ ମିଳିଛି ବଡ ଆଶ୍ୱସ୍ତି । ପ୍ରମାଣ ଅଭାବ କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ପୁଲିସକୁ କ୍ଲିନ ଚିଟ୍ ଦେଇଛନ୍ତି । ଏହି ମାମଲାର ତଦନ୍ତ ପାଇଁ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଗଠିତ ଅବସରପ୍ରାପ୍ତ ବିଚାରପତି ବିଏସ ଚୌହାନଙ୍କ କମିଟି ଉତ୍ତର ପ୍ରଦେଶ ପୋଲିସକୁ କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି ।

ୟୁପି ପୁଲିସ ବିରୋଧରେ କମିଟିକୁ କୌଣସି ପ୍ରମାଣ ମିଳିନାହିଁ । ବିକାଶ ଦୁବେ ଏନକାଉଣ୍ଟର ପରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଅନେକ ପୋଲିସ କର୍ମଚାରୀଙ୍କୁ ପଚରା ଉଚୁରା କରିଥିଲେ । ହେଲେ କମିଟିକୁ ପୋଲିସ କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା । ଏହି କାରଣରୁ କମିଟି ଉତ୍ତର ପ୍ରଦେଶ ପୋଲିସକୁ ବିକାଶ ଦୁବେ ଏନକାଉଣ୍ଟର ମାମଲାରେ କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ ତିନି ଜଣିଆ କମିଟି ଗଠନ କରିଥିଲେ । ଏହି କମିଟିରେ ଉତ୍ତର ପ୍ରଦେଶ ସରକାର ପ୍ରସ୍ତାବିତ ନାମକୁ ମଞ୍ଜୁରୀ ଦେଇଥିଲେ । ଏହା ପରେ ଉଚ୍ଚତମ ନ୍ୟାୟାଳୟ ଅବସରପ୍ରାପ୍ତ ବିଚାରପତି ବିଏସ ଚୌହାନ, ଡିଜିପି କେଏଲ ଗୁପ୍ତା ଓ ହାଇକୋର୍ଟର ପୂର୍ବତନ ଜଜ ଶଶିକାନ୍ତ ଅଗ୍ରଓ୍ାଲଙ୍କୁ ନେଇ ତିନି ଜଣିଆ କମିଟିର ଗଠନ କରିଥିଲେ ।

କଣ ପୂରା ମାମଲା
୨୦୨୦ ଜୁଲାଇ ୨ରେ କାନପୁରର ବିକରୁ ଗାଁରେ ଆଠ ପୁଲିସ କର୍ମଚାରୀଙ୍କ ହତ୍ୟା କରାଯାଇଥିଲା । ଏହି ଅମାନୁଷିକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଗୋଟିଏ ସପ୍ତାହ ପରେ ମଧ୍ୟ ପ୍ରଦେଶର ଉଜ୍ଜୈନରୁ ଗିରଫ ହୋଇଥିଲା । ମାତ୍ର ୨୪ ଘଣ୍ଟା ଭିତରେ ହିଁ କାନପୁର ନିକଟରେ ପୋଲିସ ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.