ଧନ୍ୟ ତୁମେ ଜନନାୟକ, ଧନ୍ୟ ତୁମର ତ୍ୟାଗ… ଜନ୍ମ ଜୟନ୍ତୀରେ ହରେକୃଷ୍ଣଙ୍କୁ ଝୁରୁଛି ସାରା ଓଡ଼ିଶା, ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ମହତାବ
ଓଡ଼ିଶା ଭାସ୍କର: ସେଦିନ ବି ଥିଲା ୧୮୯୯ ମସିହା ନଭେମ୍ବର ୨୧ ତାରିଖ । ଜନ୍ମ ନେଇଥିଲେ ରାଜ୍ୟର ପ୍ରଥମ ମୁଖିଆ, ସେ ଥିଲେ ପ୍ରଥମ ଜନନାୟକ, ସାହସ ଆଉ ତ୍ୟାଗକୁ ମିଶାଇ ଗଢି ତୋଳିଥିଲେ ସୁନ୍ଦର ଓଡ଼ିଶା । ବିକାଶ, ସଫଳତା ଆଉ ସୌନ୍ଦର୍ଯ୍ୟର ପ୍ରଥମ ସ୍ୱପ୍ନ ଦେଖିଥିଲେ ଯିଏ, ସେ ଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡା. ହରେକୃଷ୍ଣ ମହତାବ । ସୃଜନଶୀଳତାର ସୁନାର ଫସଲ ଠାରୁ ରାଜନୀତିର କଣ୍ଟକିତ ପଥ, ସ୍ୱାଧୀନତା ସଂଗ୍ରାମର ଲେଲିହାନ ଶିଖାରୁ ସେବାର ବୃହତ୍ତର କ୍ଷେତ୍ର, ଜନଜାଗରଣ ଓ ସାଧନାର ମନ୍ତ୍ରୋଚାରଣରୁ ସାଫଲ୍ୟର ଶୀର୍ଷାରୋହଣ – ସବୁଠି ତାଙ୍କର ପାରିବାପଣିଆ, ଯଶ ଓ ଗାଥାର କାହାଣୀ ।
ସେ ହେଉଛନ୍ତି ଉକ୍ରଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ । ଉକ୍ରଳୀୟ ଜାତୀୟତାର ଆଦ୍ୟ ଜନ୍ମଦାତା ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ, ଆଚାର୍ୟ୍ୟ ହରିହର ଓ କୃପାସିନ୍ଧୁ ମିଶ୍ରଙ୍କ ତ୍ୟାଗପୂତ ଜୀବନ ଏବଂ ନିତ୍ୟାନନ୍ଦ କାନୁନଗୋ, ନବକୃଷ୍ଣ ଚୌଧୁରୀ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ସାହଚର୍ୟ୍ୟ ତାଙ୍କୁ ବହୁଭାବରେ ପ୍ରଭାବିତ କରିଥିଲା । ସେହି ଆଦର୍ଶକୁ ପାଥେୟ କରି ସେ କେବଳ ଆମ ରାଜ୍ୟ ନୁହେଁ ଭାରତର ଜଣେ ଆଗଧାଡିର ଜନନାୟକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
ହରେକୃଷ୍ଣ ମହତାବ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଥିଲେ ଏକାଧାରରେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ, ସୁସାହିତ୍ୟିକ, ସୁଶାସକ, ଦକ୍ଷ ସମ୍ପାଦକ, ମହାନ୍ ଦେଶପ୍ରେମୀ, ଐତିହାସିକ, ସୁସଂଗଠକ ଓ ସର୍ବୋପରି ନବଉକ୍ରଳର ନିର୍ମାତା । ଥରେ ଯାହା ସିଏ ଚିନ୍ତା କରୁଥିଲେ ତାକୁ କାର୍ୟ୍ୟରେ କରି ଦେଖାଉଥିଲେ । ଏଥିରୁ ତାଙ୍କୁ କେହି ବିଚ୍ୟୁତ କରିପାରୁନଥିଲେ । ତାଙ୍କ ବ୍ୟତିରେକ ଓଡିଶା ରାଜନୀତିର କୌଣସି ସଂଜ୍ଞା, ସ୍ଥିତି ନାହିଁ । ସମସ୍ତ ଉଲ୍ଲେଖଯୋଗ୍ୟ ରାଜନୀତିକ ଉତ୍ଥାନ-ପତନରେ ତାଙ୍କର ହାତଥିବା ଅନେକ ବିଶ୍ୱାସ କରୁଥିଲେ । ଡକ୍ଟର ମହତାବଙ୍କ କର୍ମମୟ, ସଂଗ୍ରାମୀ ଓ ରାଜନୈତିକ ଜୀବନ ବେଶ୍ ଚଳଚଞ୍ଚଳ ଥିଲା । ନିଜର ଅସାଧାରଣ ବ୍ୟକ୍ତିତ୍ୱ ଓ ପରାକାଷ୍ଠା ଯୋଗୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ୧୯୨୪ ମସିହାରୁ ୧୯୭୪ ମସିହା ପର୍ୟ୍ୟନ୍ତ ଓଡ଼ିଶା ତଥା ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ ।
୧୯୩୭ ମସିହାରେ ରାଜ୍ୟ କଂଗ୍ରେସର ସଭାପତି ଭାବେ ସଂଗଠନରେ ପାଦ ଥାପିଥିଲେ ସେ । ପରେ ୧୯୩୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର କାର୍ୟ୍ୟକାରୀ ସମିତି ସଭ୍ୟରୂପେ ତାଙ୍କୁ ମନୋନୀତ କରାଯାଇଥିଲା । ଏହି ସମୟରେ ନିଜର ଅପୂର୍ବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ । ପ୍ରଥମ ପର୍ୟ୍ୟାୟରେ ୧୯୪୬ରୁ ୧୯୫୦ମସିହା ପର୍ୟ୍ୟନ୍ତ ସେ ଓଡ଼ିଶାର ପ୍ରଧାନମନ୍ତ୍ରୀ ପରେ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିବା ସହ ପରବର୍ତ୍ତୀ ପର୍ୟ୍ୟାୟରେ ୧୯୫୬ ମସିହାରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରି ୧୯୬୧ ମସିହା ପର୍ୟ୍ୟନ୍ତ ସେଥିରେ ଅବସ୍ଥାପିତ ହୋଇଥିଲେ ।
ସେହିପରି ୧୯୫୦ ମସିହାରୁ ୧୯୫୨ ମସିହା ପର୍ୟ୍ୟନ୍ତ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ରୂପେ ନିଜ ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ । ୧୯୫୫-୧୯୫୬ ମସିହାରେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଡକ୍ଟର ମହତାବ ହିଁ ଲାଭ କରିଥିଲେ । ୧୯୬୨ ମସିହାରେ ଯେଉଁ ତିନିଜଣ ସଦସ୍ୟ ଅପ୍ରତିନ୍ଦ୍ୱନ୍ଦୀ ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ତନ୍ମଧ୍ୟରୁ ମହତାବ ଥିଲେ ଜଣେ । ସେହିପରି ୧୯୬୬ ମସିହାରେ କଂଗ୍ରେସ ଦଳ ତ୍ୟାଗ ପରେ ୧୯୬୭,୧୯୭୧ ଓ ୧୯୭୪ ମସିହାରେ ସେ ମଧ୍ୟ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ମହତାବଙ୍କ ଶାସନକାଳ ଓଡ଼ିଶା ପାଇଁ ଏକ ସୁବର୍ଣ୍ଣଯୁଗ ଥିଲା କହିଲେ ଭୁଲ୍ ହେବ ନାହିଁ । ତାଙ୍କର ପ୍ରତ୍ୟେକ କାର୍ୟ୍ୟରେ ସ୍ୱକୀୟତା, ସାହସ ଓ ନିର୍ଭୀକତା ପରିସ୍ଫୁଟ ହୋଇଥିଲା । ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ଇତିହାସରେ ତାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଗଡଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ୍ ମିଲ୍, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠାରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଜି ବି ଉଚ୍ଚ ପ୍ରଶଂସିତ । ବିଶେଷ କରି ଓଡ଼ିଶାକୁ ମହତାବଙ୍କ ସର୍ବଶ୍ରେଷ୍ଠ ଅବଦାନ ହେଉଛି ହୀରାକୁଦ ବନ୍ଧ ।
୧୯୪୮ ମସିହା ଏପ୍ରିଲ ୧୨ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦିଗରେ ମହତାବ ଆଶୁ ପଦକ୍ଷେପ ନେଲେ । ସୁପ୍ରିମକୋର୍ଟର ସେତେବେଳର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଥିଲା । ଓଡ଼ିଶାରେ ଖେଳ କସରତକୁ ପ୍ରୋତ୍ସାହନ ଦେବା ପାଇଁ ମହତାବଙ୍କ ଅବଦାନ ବହୁତ ବେଶୀ । ଓଡ଼ିଶା ଅଲମ୍ପିକ ଆସୋସିଏସନ୍ ତାଙ୍କ ଉଦ୍ୟମରେ ଗଠିତ ହୋଇଥିଲା । ସେ ଶେଷ ପର୍ୟ୍ୟନ୍ତ ତା’ର ସଭାପତି ଥିଲେ । ବାରବାଟୀ ଷ୍ଟାଡିୟମ୍ ନିର୍ମାଣରେ ସେ ସକ୍ରିୟ ଭୂମିକା ପ୍ରହଣ କରିଥିଲେ ।