ଚୋରଙ୍କୁ ଦରକାର ମଦ, ଦୋକାନରେ ପଶିଲେ ଟଙ୍କା ବଦଳରେ ୯ ଲକ୍ଷର ମଦ ଚୋରି କରିନେଲେ
ମଦୁଆ ଚୋରଙ୍କୁ ଟଙ୍କା, ଅଳଙ୍କାର ନୁହେଁ ଦରକାର ମଦ।
ମୟୁରଭଞ୍ଜ: ଚୋରଙ୍କୁ ଟଙ୍କା, ଅଳଙ୍କାର ଆଉ ଦରକାର ନାହିଁ, ଚୋରଙ୍କୁ ବି ଦରକାର ମଦ। ସେଥିପାଇଁ ତ ଦୋକାନରେ ପଶି ଟଙ୍କା ଚୋରି କରିବା ବଦଳରେ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମଦ କାର୍ଟନ।
ଏ କୌଣସି ବାହାର ରାଜ୍ୟର ଘଟଣା ନୁହେଁ। ବରଂ ଆମ ଓଡ଼ିଶାରେ ମଦୁଆ ଚୋରଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ବୈସିଙ୍ଗା ପୋଲିସ ସୀମା ଅନ୍ତର୍ଗତ ଗଡଦେଉଲିଆ ଗାଁର।
ଶୁକ୍ରବାର ଦିନ ବିଳମ୍ୱିତ ରାତିରେ ଏକ ବିଦେଶୀ ମଦ ଦୋକାନରେ ଚୋରି ହୋଇଛି। ଚୋରମାନେ ପାଖାପାଖି ୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମଦ ନେଇ ପଳାଇଛନ୍ତି। ଚୋରମାନେ ଦୋକାନର ସଟର ଏବଂ ଲୁହା ଗ୍ରୀଲ୍ ଭାଙ୍ଗି ଦୋକାନରେ ଚୋରି କରିଥିବା ଜଣାପଡିଛି।
ଶନିବାର ଦିନ ସକାଳୁ ମଦ ଦୋକାନି ଦୋକାନକୁ ଆସି ଦେଖିବା ବେଳକୁ ସବୁ କିଛି ସତ୍ୟାନାଶ ହୋଇଯାଇଛି। ପରେ ଦୋକାନରୁ ଚୋରି ହୋଇଥିବା ନେଇ ପୋଲିସକୁ ଖବର ଦିଆଯାଇଥିଲା।
ଘଟଣାସ୍ଥଳରେ ଫରେନସିକ୍ ଟିମ୍ ସହ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନୁମାନ କରାଯାଉଛି ଏହା ଏକ ଯୋଜନା ବଦ୍ଧ ଲୁଟ୍ ଥିଲା। କାରଣ ଚୋରମାନେ CCTV ସିଷ୍ଟମକୁ ଅଚଳ କରିବା ସହ ପ୍ରମାଣ ଲିଭାଇବା ପାଇଁ ହାର୍ଡ ଡିସ୍କ କାଢ଼ି ଦେଇଥିଲେ। ଏବେ ବି ତଦନ୍ତ ଜାରି ରହିଛି।