ଗୋଟିଏ ଦିନ ବଢ଼ିବ ବାଲିଯାତ୍ରା! ନଭେମ୍ବର ୧୮ରେ ବାତିଲ୍ ହୋଇଥିବା କାର୍ଯ୍ୟକ୍ରମକୁ ଆଡଜଷ୍ଟ ପାଇଁ ପ୍ରଶାସନ ନେଇପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇପାରେ । ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ହେବା ନେଇ ପୂର୍ବରୁ ପ୍ରଶାସନିକ ମହଲରେ ନିଷ୍ପତ୍ତି ହୋଇଛି । ଏନେଇ ମଧ୍ୟ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ସ୍ଥରୀକୃତ ହୋଇ ସାରିଛି । ତେବେ ଗତ ୧୮ ତାରିଖ ସୋମବାର ଦିନ ରାଜ୍ୟର ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ବିୟୋଗ ପରେ ତାଙ୍କୁ ସମ୍ମାନ ଜଣାଇ ବାଲିଯାତ୍ରାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ହଠାତ୍ ବାତିଲ୍ କରାଯାଇଥିଲା । ଏପରିକି ମେଳାରେ କୌଣସି ବେସରକାରୀ ଷ୍ଟଲରେ ସାଉଣ୍ଡ ମଧ୍ୟ ବାଜିନଥିଲା । ତା’ ସାଙ୍ଗକୁ କଟକ ଇନ କଟକ ମଧ୍ୟରେ ହେବାକୁ ଥିବା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ହୋଇଥିଲା ।
ତେଣୁ ଗତ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ ଆଡଜଷ୍ଟ କରିବା ପାଇଁ ଏଥର ଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଛି । ମାତ୍ର ଏନେଇ ଅଫିସିଆଲ ଭାବେ କୌଣସି ସୂଚନା ଜାରି କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସ୍ୱତନ୍ତ୍ର ଅନୁମତି ଆଣି ଏନେଇ ବଡ଼ ଘୋଷଣା କରାଯାଇପାରେ । ଯଦି ଏଥର ଯାତ୍ରା ୧ ଦିନ ବୃଦ୍ଧି ହୁଏ, ତେବେ ଚଳିତ ୨୦୨୪ ବାଲିଯାତ୍ରାର ଅବଧି ୯ ଦିନ ହୋଇଯିବ ।
ସୂଚନାଯୋଗ୍ୟ ଯେ, ରାଜ୍ୟର ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ବିଗିଡ଼ି ଯାଇଥିବା ବେଳେ ଗତକାଲି ସେ ପରଲୋକ ଗମନ କରିଥିଲେ । ତେଣୁ ସମୀରଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଗତକାଲି ବାଲିଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ସମୀର ୬୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।