ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ବିଧାନସଭା, ଆରମ୍ଭ ପୂର୍ବରୁ କଂଗ୍ରେସର ଧାରଣା
ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ। ହେଲେ ମନରେ ଦ୍ୱନ୍ଦ୍ୱ। ଆଜି ଚାଲିପାରିବ ତ ବିଧାନସଭା ? ଗୃହ ଆରମ୍ଭ ହେବା ପୂର୍ବରୁ ଧାରଣାରେ ବସିଲେଣି କଂଗ୍ରେସ ନେତା।
ଭୁବନେଶ୍ୱର: ଆଜି ପୁଣି ଚାଲିବ ବିଧାନସଭା। ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ବିଧାନସଭାରେ ବଜେଟ୍ ଅଧିବେଶନ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ। ହେଲେ ମନରେ ଦ୍ୱନ୍ଦ୍ୱ। ଆଜି ଚାଲିପାରିବ ତ ବିଧାନସଭା। କାରଣ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ତ ହଙ୍ଗାମା ପ୍ରତିବାଦ ପରେ ଗୃହ ଚାଲିପାରିନଥିଲା।
ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବି ଥିଲା। ଆଉ ଆଜି ପୁଣିଥରେ ଗୃହରେ ହଙ୍ଗାମା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ବିରୋଧୀଙ୍କ ପାଖରେ ଅନେକ ମୁଦ୍ଦା ଅଛି ଯାହାକୁ ମୋହରା କରି ସେମାନେ ହଟ୍ଟଗୋଳ କରିପାରନ୍ତି। ସେପଟେ ବିଧାନସଭା ଆରମ୍ଭ ପୂର୍ବରୁ ଗାନ୍ଧୀ ମୂର୍ତ୍ତି ତଳେ ବସି ଧାରଣା ଦେଲାଣି କଂଗ୍ରେସ।
ମୁଲତବି ଥିଲା ଗୃହ: ତେବେ ଦୁଇ ଦିନ ତଳେ ଆରମ୍ଭ ହୋଇଥିଲା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ହେଲେ ସେତେବେଳେ ବିରୋଧୀଙ୍କ ବିରୋଧ ଏତେ ବଢ଼ିଗଲା ଯେ, ଗୃହରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ଏତେ ହଙ୍ଗାମା କଲେ ଯେ ଗୃହ ସୁରୁଖୁରୁରେ ଚାଲିପାରିଲା ନାହିଁ।
ବାଧ୍ୟ ହୋଇ ଗୃହକୁ ମୁଲତବି ରଖାଗଲା। ଆଉ ଯେହେତୁ ଆଜି ପୁଣିଥରେ ଅଧିବେଶନ ବସିବାକୁ ଯାଉଛି। ତେଣୁ ପୁଣିଥରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରି ପାରନ୍ତି ବିଜେଡି ଆଉ କଂଗ୍ରେସ। ତେଣୁ ସନ୍ଦେହ ହେଉଛି ଆଜି ଚାଲିପାରିବ ତ ଗୃହ।
ଜୟ ନାରାୟଣଙ୍କ ବୟାନ: ଯଦି ଦେଖିବା ଦୁଇ ଦିନ ତଳେ ଯେତେବେଳେ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା, ସେତେବେଳେ ବିଜୁ ବାବୁଙ୍କୁ ଅସମ୍ମାନ ଘଟଣାକୁ ବିଜେଡି ପ୍ରସଙ୍ଗ କରିଥିବାବେଳେ, କଂଗ୍ରେସ ନାରୀ ନିର୍ଯାତନା ଓ ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ କରି ନାରାବାଜୀ କରିଥିଲା।
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ ଓ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଅନସନ କରିଥିଲେ। ଆଉ ଆଜି ବିରୋଧୀଙ୍କ ପାଖରେ ବଡ଼ ପ୍ରସଙ୍ଗ ରହିଛି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ। ଜୟ ନାରାୟଣ ମିଶ୍ରଙ୍କ କୋଶଳ ଓ କଳିଙ୍ଗ ବୟାନକୁ ନେଇ ବିରୋଧୀ ହଙ୍ଗାମା କରିପାରନ୍ତି।