ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏନଟିସି/ଏନଏସି)-୨୦୨୪ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏଟିଓ-୨୦୨୪ ଲିଖିତ ପରୀକ୍ଷା ଚାଲିବ । ଓଏମଆର ମୋଡ଼ରେ ରାଜଧାନୀ ଭୁବନେଶ୍ୱରର ପରୀକ୍ଷା କେନ୍ଦ୍ରରେ ଏହି ଲିଖିତ ପରୀକ୍ଷା ହେବ । ଶର୍ଟଲିଷ୍ଟେଡ ହୋଇଥିବା ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେବେ । ଏହି ପରୀକ୍ଷାକୁ ନେଇ ଓଏସଏସସି ତରଫରୁ ଏକ ବିସ୍ତୃତ ପ୍ରୋଗ୍ରାମ ଜାରି କରାଯାଇଛି । କେଉଁଦିନ, କେଉଁ ସମୟରେ, କେଉଁ ପେପର ପରୀକ୍ଷା ହେବ, ତା’ର ସୂଚନା ପାଇବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।
୧୮ ତାରିଖ ଦିନ କୋପା, ଡ୍ରେସ୍ ମେକିଂ ଟ୍ରେଡର ଏମ୍ପୟବିଲିଟି ସ୍କିଲ ଆଣ୍ଡ ଇଂରାଜୀ ବିଷୟର ପରୀକ୍ଷା ହେବ । ଦ୍ୱିପ୍ରହର ୨ଟାରୁ ୩.୩୦ ପର୍ଯ୍ୟନ୍ତ ଦେଢ଼ ଘଣ୍ଟା ଧରି ଏହି ପରୀକ୍ଷା ଚାଲିବ । ୧୯ ତାରିଖରେ ସମାନ ଟ୍ରେଡର ଥିଓରି ବିଷୟ ପରୀକ୍ଷା ସମାନ ସମୟରେ ଅନୁଷ୍ଠିତ ହେବ । ୨୦ ତାରିଖରେ ସମସ୍ତ ଇଞ୍ଜିନିୟରିଂ ଟ୍ରେଡ ଯେପରିକି ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ୍ସ ମେକାନିକ, ଫିଟର, ମେସିନିଷ୍ଟ ଆଦିର ପରୀକ୍ଷା ହେବ । ୱାର୍କଶପ କାଲକୁଲେସନ ଆଣ୍ଡ ସାଇନ୍ସ, ଇଂରାଜୀ ଆଦି ବିଷୟର ପରୀକ୍ଷା ଦ୍ୱିପ୍ରହର ୨ଟାରୁ ୩.୩୦ ପର୍ଯ୍ୟନ୍ତ ଚାଲିବ । ୨୧ ତାରିଖରେ ସମସ୍ତ ଇଞ୍ଜିନିୟରିଂ ଟ୍ରେଡର ଥିଓରି ପରୀକ୍ଷା ସମାନ ସମୟରେ ଅନୁଷ୍ଠିତ ହେବ । ସେହିପରି ୨୨ ତାରିଖରେ ଟର୍ଣ୍ଣର, ମେକାନିକ ରେଫ୍ରିଜରେସନ ଆଣ୍ଡ ଏୟାର କଣ୍ଡିସନର, ଇଲେକ୍ଟ୍ରିସିଆନ ଟ୍ରେଡର ଥିଓରି ପରୀକ୍ଷା ସମାନ ଟାଇମିଂରେ ଅନୁଷ୍ଠିତ ହେବ ।