ନଭେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ ‘ଓଡ଼ିଶା ପର୍ବ-୨୦୨୪’: ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ତିନିଦିନିଆ ‘ଓଡ଼ିଶା ପର୍ବ-୨୦୨୪’ । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ । ଏଥିସହିତ କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଦିଲ୍ଲୀ ସ୍ଥିତ ଏନଜିଓ ଓଡ଼ିଆ ସମାଜ ତରଫରୁ ଏହାକୁ ଆୟୋଜନ କରାଯାଇଛି । ଏହି ପର୍ବରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ନିଆରା ସଙ୍ଗମ ଦେଖିବାକୁ ମିଳିବ ।
ଗତ ୨୦୧୭ ମସିହାରେ ଦିଲ୍ଲୀରେ ପ୍ରଥମ ଥର ଓଡ଼ିଶା ପର୍ବ ଇଣ୍ଡିଆ ଗେଟ୍ ଠାରେ ଆରମ୍ଭ ହୋଇଥିଲା । ଏଥର ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଏହି ପର୍ବ ଅନୁଷ୍ଠିତ ହେବ । ଏହି ପର୍ବରେ ଦିଲ୍ଲୀର ସମସ୍ତ ପ୍ରବାସୀ ଓଡ଼ିଆ ସଂଗଠନ ଯୋଗଦେବେ । ଖୋଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଏହାର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋଜଖାସ ଜଗନ୍ନାଥ ମନ୍ଦିରର ସମ୍ପାଦକ, ଓଡ଼ିଆ ସମାଜ ଟ୍ରଷ୍ଟି ଓ ଓଡ଼ିଶା ପର୍ବର ମୁଖ୍ୟ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।