fbpx

ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା: ପୂଜାରେ ବଡ଼ ଅଘଟଣ

ନୂଆଦିଲ୍ଲୀ: ଦଶହରାରେ ଗୋଟିଏ ପଟେ ଜନସାଧାରଣ ବଡ଼ ଧୁମଧାମରେ ଉତ୍ସବ ମନାଉଥିବା ବେଳେ ଏହି ସମୟରେ ମହାରାଷ୍ଟ୍ରରେ ଘଟିଯାଇଛି ଏକ ବଡ଼ ଅଘଟଣ । ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକୀଙ୍କ ଉପରେ ଗୁଳିମାଡ଼ କରାଯାଇଛି । ଏହି ଗୁଳିମାଡ଼ରେ ସିଦ୍ଦିକୀଙ୍କ ପେଟରେ ୨-୩ଟି ଗୁଳି ଲାଗିଥିବା ବେଳେ ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପବିତ୍ର ପୂଜା ଅବସରରେ ପୂର୍ବତନ ମନ୍ତ୍ରୀ ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରିବା ଖବର ମହାରାଷ୍ଟ୍ର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ଅଜିତ ପୱାର ଗୋଷ୍ଠୀର ଏନସିପି ନେତା ସିଦ୍ଦିକୀଙ୍କୁ ଗୁଳିମାଡ଼ ପରେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ସିଦ୍ଦିକୀଙ୍କ ଉପରକୁ ୨-୩ ରାଉଣ୍ଡର ଫାୟାରିଂ ହୋଇଥିବା କୁହାଯାଇଛି । ସିଦ୍ଦିକୀ ତାଙ୍କ ପୁଅ ଜୀଶାନଙ୍କ ସହ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଏହି ଗୁଳିମାଡ଼ରେ ସିଦ୍ଦିକୀଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ୩ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି ।

ମହାରାଷ୍ଟ୍ର ରାଜନୀତିରେ ସିଦ୍ଦିକୀ ଜଣେ ବରିଷ୍ଠ ରାଜନେତା ଭାବେ ବେଶ୍ ପରିଚିତ । ସେ ଗତ ଫେବୃଆରୀ ମାସରେ କଂଗ୍ରେସ ଛାଡ଼ି ଏନସିପିରେ ସାମିଲ ହୋଇଥିଲେ । ସେ ୨୮ ବର୍ଷ ଧରି କଂଗ୍ରେସ ସହ ରହିଥିଲେ । ସେ ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମଭ କରି ପ୍ରଥମ ଥର ବିଏମସି କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୯୯, ୨୦୦୪ ଓ ୨୦୦୯ରେ ବାନ୍ଦ୍ରା ୱେଷ୍ଟ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ । ସେ ବାନ୍ଦା ପଶ୍ଚିମ ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହିତ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିଥିଲେ ।

Get real time updates directly on you device, subscribe now.