fbpx

ଭାରତ ବିରୁଦ୍ଧରେ ପୁଣି ନୁଆ ଚାଲ ଚଲାଇଲା ଚୀନ୍‌! ନୁଆ ମ୍ୟାପ୍ ଜାରି କରି ଅରୁଣାଚଳ ପ୍ରଦେଶ-ଅକ୍ସାଇ ଚୀନ୍ ନିଜର ଦାବି କଲା

ନୂଆଦିଲ୍ଲୀ: ଚୀନ୍ ସୋମବାର ଏହାର ଅଫିସିଆଲ ଷ୍ଟାଣ୍ଡାର୍ଡ ମାନଚିତ୍ର ୨୦୨୩ ପ୍ରକାଶ କରିଛି । ଯେଉଁଥିରେ ଭାରତର ଦୁଇ ରାଜ୍ୟ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ କ୍ଷେତ୍ରକୁ ନିଜର ଦାବି କରିଛି। କେବଳ ଏତିକି ନୁହେଁ ଚାଇନା ଏହାର ମାନଚିତ୍ରରେ ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜର ଦାବି କରିଛି। ଏହି ଦାବିଗୁଡିକ ଅନ୍ତର୍ଭୁକ୍ତ କରି ଅନ୍ୟ ବିବାଦୀୟ କ୍ଷେତ୍ରଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ କରିଛି। କିନ୍ତୁ ଭାରତ ବାରମ୍ବାର ଦାବି କରିଛି ଯେ, ଅରୁଣାଚଳ ପ୍ରଦେଶ ଏହାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ସର୍ବଦା ରହିବ।

ଚୀନ୍‌ର ଅଫିସିଆଲ୍ ଖବରକାଗଜ ଗ୍ଲୋବାଲ ଟାଇମ୍ସ ସୋମବାର ଏହାର ନୂତନ ମାନକ ମାନଚିତ୍ରକୁ ଅପରାହ୍ନ ୩.୪୭ ରେ ଟ୍ୱିଟରେ ପୋଷ୍ଟ କରିଛି। ଚାଇନାର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଷ୍ଟାଣ୍ଡାର୍ଡ ମାନଚିତ୍ର ସେବା ୱେବସାଇଟରେ ଏହି ନୂତନ ମାନଚିତ୍ର ମଧ୍ୟ ଲଞ୍ଚ କରାଯାଇଛି। ଚୀନ୍ ଏବଂ ବିଶ୍ୱର ବିଭିନ୍ନ ଦେଶର ସୀମା ଅଙ୍କନ ପ୍ରଣାଳୀ ଆଧାରରେ ଏହି ମାନଚିତ୍ର ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଚୀନ୍‌ର ସମସ୍ତ ଅଂଶ ପ୍ରଦର୍ଶିତ ହୋଇଛି। ଏହି ମାନଚିତ୍ରରେ ଭାରତର ଦୁଇଟି ରାଜ୍ୟ ମଧ୍ୟ ଚୀନ୍ ମାନଚିତ୍ରରେ ପ୍ରଦର୍ଶିତ ହୋଇଛି।

ଚୀନ୍ ପ୍ରଥମ ଥର ପାଇଁ ଏଭଳି କାର‌୍ୟ୍ୟ କରିନାହିଁ। ଏହା ପୂର୍ବରୁ ଏପ୍ରିଲ୍ ୨୦୨୩ ରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ ଟି ସ୍ଥାନର ମାନଚିତ୍ରରେ ପରିବର୍ତ୍ତନ କରିଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ତୃତୀୟ ଥର ପାଇଁ ଏହା କରିଛି।

ତେବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନ୍‌ର ଏହି ନୂଆ ମାନଚିତ୍ର ସମ୍ପର୍କରେ ସ୍ପଷ୍ଟ ଭାବରେ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ। ଚୀନ୍‌ର ଏହି କାର‌୍ୟ୍ୟକୁ ବରଦାସ୍ତ କରିବ ନାହିଁ। ଏହି ଉପାୟରେ ନାମ ପରିବର୍ତ୍ତନ କରିବା ବାସ୍ତବତାକୁ ପରିବର୍ତ୍ତନ କରିବ ନାହିଁ।

Get real time updates directly on you device, subscribe now.