fbpx

୨୦୨୦ରେ ୧୨ ହଜାର ମୃତ୍ୟୁ; ରେଳ ଦୁର୍ଘଟଣାରେ ପ୍ରତିଦିନ ୩୨ଜଣ ହରାଇଛନ୍ତି ପ୍ରାଣ, ଏନସିଆରବି ରିପୋର୍ଟରୁ ଖୁଲାସା

Advertisement

ନୂଆଦିଲ୍ଲୀ: ଗତ ବର୍ଷ ଦେଶରେ ୧୩ ହଜାରରୁ ଅଧିକ ରେଳ ଦୁର୍ଘଟଣାରେ ପ୍ରାୟ ୧୨ ହଜାର ରେଳ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଅର୍ଥାତ୍ ୨୦୨୦ ରେ, ପ୍ରତିଦିନ ୩୨ ଜଣ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କରୋନା କାଳରେ ୪୫ ପ୍ରତିଶତ ପାସେଞ୍ଜର୍ ଟ୍ରେନ୍ ଗଡ଼ୁନଥିବା ବେଳେ ଏହି ଦୁର୍ଘଟଣାମାନ ଘଟିଛି । ଏଥିସହ ଟ୍ରେନରୁ ଖସିପଡି ଏବଂ ରେଳବାଇ ଟ୍ରାକ ପାର ହେଉଥିବା ବେଳେ ୭୦ ପ୍ରତିଶତ ଦୁର୍ଘଟଣା ଘଟିଛି। ଟ୍ରେନରୁ ଖସିପଡି ଓ ରେଳ ଟ୍ରାକ୍ ଅତିକ୍ରମ କରିବା ପରେ ୮,୪୦୦ ଲୋକଙ୍କର ମୃତ୍ୟୁ ଘଟିଛି।

ରେଳ ଦୁର୍ଘଟଣା ଏବଂ ମୃତକଙ୍କ ମାମଲାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ସେହିପରି ରେଳ କ୍ରସିଂରେ ଟ୍ରେନ୍ ଧକ୍କାରେ ମୃତ୍ୟୁହାର ୟୁପିରେ ପ୍ରଥମ ସ୍ଥାନରେ ଥିବା ବେଳେ ବିହାର ଦ୍ୱିତୀୟ ସ୍ଥାନରେ ରହିଛି ଓ ମଧ୍ୟପ୍ରଦେଶ ରହିଛି ତୃତୀୟ ସ୍ଥାନରେ । ରେଳ ଦୁର୍ଘଟଣା ସମ୍ପର୍କରେ ସରକାରଙ୍କ ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଦୁର୍ଘଟଣା ୫୩ ପ୍ରତିଶତ ହ୍ରାସ ପାଇଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ବାର୍ଷିକ ରିପୋର୍ଟ ୨୦୨୦ ଅନୁଯାୟୀ ୨୦୧୯ ରେ ୨୭,୯୮୭ ରେଳ ଦୁର୍ଘଟଣା ଘଟିଛି ଯାହା ୨୦୨୦ ରେ ୧୩,୦୧୮ କୁ ହ୍ରାସ ପାଇଛି। ଏହି ଦୁର୍ଘଟଣାରେ ୧୧୯୮୬ ରେଳ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୧୧୨୭ ଜଣ ଆହତ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୨୬୯୭ ଟ୍ରେନ୍ ଦୁର୍ଘଟଣା ଘଟିଛି, ଯାହା ସମୁଦାୟର ୨୦ ପ୍ରତିଶତ ଅଟେ। ଏହା ପରେ ୟୁପି ଦ୍ୱିତୀୟ ନମ୍ବରରେ ରହିଛି । ଏଠାରେ ୧୫୬୦ ରେଳ ଦୁର୍ଘଟଣା (୧୨ ପ୍ରତିଶତ) ଘଟିଛି । ଏହି କାରଣରୁ ଉଭୟ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଛି। ମହାରାଷ୍ଟ୍ରରେ ୧୯୨୨ ମୃତ୍ୟୁ (୧୬ ପ୍ରତିଶତ) ଏବଂ ୟୁପିରେ ୧୫୫୮ ମୃତ୍ୟୁ (୧୩%) ହୋଇଛି।

Get real time updates directly on you device, subscribe now.