fbpx

ମଧ୍ୟାହ୍ନଭୋଜନ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ: ଖାଇ ସାରିବା ପରେ ମୁଣ୍ଡ ବୁଲାଇଲା, ପେଟ ଯନ୍ତ୍ରଣା ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଧ୍ୟାହ୍ନଭୋଜନ ଯେ ବିପଦ ଡାକି ଆଣିବ ଏକଥା କିଏ ଜାଣିଥିଲା । ଛୋଟ ଛୋଟ ପିଲାମାନେ ଖୁସଖୁସିରେ ମଧ୍ୟାହ୍ନଭୋଜନ ଖାଇଥିବା ବେଳେ ଏହା ସେମାନଙ୍କର ପାଇଁ କାଳ ସାଜିଲା । ଏକସଙ୍ଗେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ସମସ୍ତ ଅସୁସ୍ଥ ପିଲା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକରୁ ଏପରି ଘଟଣା ସାମ୍ନାକୁ ଆସିଛି । ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଖାଇସାରିବା ପରେ ପିଲାଙ୍କର ମୁଣ୍ଡ ବୁଲାଇବା ସହ ପେଟ ଯନ୍ତ୍ରଣା ହୋଇଥିଲା । ଏହା ପରେ ସ୍କୁଲର ଶିକ୍ଷକ ଅଭିଭାବକମାନଙ୍କୁ ଖବର ଦେଇଥିଲେ ଓ ସମସ୍ତ ଅସୁସ୍ଥ ପିଲାଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କରାଯାଇଥିଲା ।

ଏହି ଖବର ଜାଣିବା ପରେ ସ୍ଥାନୀୟ ବିଡିଓ ଉକ୍ତ ସ୍କୁଲରେ ପହଞ୍ଚି ଏ ବାବଦରେ ଅନୁଧ୍ୟାନ କରିଥିଲେ । ଏଥିସହିତ ବିଡିଓ ମେଡିକାଲକୁ ଯାଇ ଅସୁସ୍ଥ ପିଲାମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ତେବେ ଖାଦ୍ୟ କିପରି ବିଷକ୍ରିୟା ହେଲା ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ଏ ବାବଦରେ ସ୍କୁଲ ତରଫରୁ କିଛି ସୂଚନା ମଧ୍ୟ ଦିଆଯାଇନାହିଁ ।

Get real time updates directly on you device, subscribe now.