fbpx

୧୪୦ କୋଟି ଜନତାଙ୍କୁ ବଡ଼ ଆଶ୍ୱସ୍ତି: ୧୫ ପ୍ରକାର ସାମଗ୍ରୀର ଦାମ୍ ଶସ୍ତା ହେଲା, ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ଏହା ମଧ୍ୟରେ ଶ୍ରୀ ସୀତାରମଣ କରିଛନ୍ତି ଅନେକ ବଡ଼ ଘୋଷଣା । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଆଗାମୀ କିଛି ବର୍ଷ ପାଇଁ ଗୁରୁତ୍ୱ ଦେଇ ରୋଜଗାର, ଦକ୍ଷତା, ଏମଏସଏମଇ ଓ ମଧ୍ୟବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅର୍ଥମନ୍ତ୍ରୀ ୨୦ରୁ ଅଧିକ ବଡ଼ ଘୋଷଣା କରିଛନ୍ତି ।

ତେବେ ବଜେଟରେ ଅର୍ଥମନ୍ତ୍ରୀ ୧୪୦ କୋଟି ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ୧୫ ପ୍ରକାରର ସାମଗ୍ରୀର ଦାମ୍ ଶସ୍ତା ହୋଇଛି । ସେହି ସାମଗ୍ରୀଗୁଡ଼ିକ ମଧ୍ୟରେ ସୁନା, ରୁପା, ଆମଦାନୀ ଅଳଙ୍କାର, ପ୍ଲାଟିନ ତିଆରି ସାମଗ୍ରୀ, କ୍ୟାନସର ମେଡିସିନ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, ମୋବାଇଲ ଫୋନର ପାର୍ଟସ, ମାଛ ଭୋଜନ, ଚମଡ଼ା ତିଆରି ବସ୍ତୁ, ରସାୟନ ପେଟ୍ରୋକେମିକାଲ, ପିଭିସି ଫ୍ଲେକ୍ସ ବ୍ୟାନର, ଏକ୍ସ-ରେ ମେଶିନ, ବୈଦ୍ୟୁତିକ ଯାନ, ସୋଲାର ପ୍ୟାନେଲ ଆଦି ସାମିଲ ରହିଛି ।

ସେହିପରି ବଜେଟରେ ଅର୍ଥମନ୍ତ୍ରୀ ଯୁବବର୍ଗଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି । କୋଟି ଯୁବବର୍ଗଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ମିଳିବ । ଦେଶର ଟପ କମ୍ପାନୀମାନେ ଏହି ଯୁବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣଶିପ ଯୋଜନା ଅଧିନରେ ଯୁବବର୍ଗଙ୍କୁ ୧୨ ମାସ ପାଇଁ ଇଣ୍ଟର୍ଣ୍ଣଶିପ୍ ସୁଯୋଗ ପ୍ରଦାନ କରାଯିବ । ଦେଶର ଟପ୍ କମ୍ପାନୀମାନେ ଆଗାମୀ ୫ ବର୍ଷରେ ୧ କୋଟି ଯୁବବର୍ଗଙ୍କୁ ଟ୍ରେନିଂ ପ୍ରଦାନ କରିବେ । ସେହିପରି ଏଥର ବଜେଟରେ ଅର୍ଥମନ୍ତ୍ରୀ ବେତନଭୋଗୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି । ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ରିହାତିରେ ବୃଦ୍ଧି କରଯାଇଛି । ପୂର୍ବରୁ ଏହା ୫୦ ହଜାର ରହିଥିବା ବେଳେ ଏବେ ତାହା ୭୫ ହଜାରକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.