ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ଖାଇବର ପଖତୁଙ୍ଖୱା (କେବିକେ)ରେ ଏକ ବଡ଼ ଧରଣର ଆତଙ୍କୀ ହମଲା ହୋଇଛି । ବନ୍ନୁ ଜିଲ୍ଲାର ଜନିକେଲ ଅଞ୍ଚଳରେ ଏକ ଆତ୍ମଘାତୀ ହମଲା ପରେ ଆତଙ୍କବାଦୀମାନେ ଫାୟାରିଂ କରିଥିଲେ । ସେଥିରେ ୧୭ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ଜଣାପଡ଼ିଛି । ତହରୀକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ସହଯୋଗୀ ଗ୍ରୁପ ହାଫିଜ ଗୁଲ ବହାଦୁର ଗ୍ରୁପ (ଏଚଜିବି) ଏଥିପାଇଁ ନିଜକୁ ଦାୟୀ କରିଛି । ଏଚଜିବି ହମଲା ପରେ ପାକିସ୍ତାନୀ ସୈନିକଙ୍କ ଗଳା କାଟି ଭିଡିଓ ଜାରି କରାଯାଇଛି, ଯାହାକି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଆକ୍ରମଣ ପରେ ପାକିସ୍ତାନ ସେନା ଓ ସରକାର ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ିଛନ୍ତି । ଏଥିସହିତ ଏହି ଘଟଣା ଆଞ୍ଚଳିକ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଯେ, ପାକିସ୍ତାନର ଖାଇବର ପଖତୁଙ୍ଖୱାରେ ସୁରକ୍ଷାକର୍ମୀମାନେ ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କ ବିରୋଧରେ ଆଣ୍ଟି-ଟେରର ଅପରେସନ ଚଳାଇ ଆସୁଛନ୍ତି । ନଭେମ୍ବର ୧୯ରେ ପାକିସ୍ତାନ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଲଢ଼େଇ ହୋଇଥିଲା । ସେହି ଘଟଣାରେ ଯବାନମାନେ ଲସ୍କର-ଏ-ଇସଲାମର ଦୁଇଜଣ ବଡ଼ କମାଣ୍ଡରଙ୍କୁ ନିପାତ କରିଥିଲେ । ଏଥିସହିତ ପାକିସ୍ତାନର ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ।