fbpx
BSKY
BJD SHG SKY
BJD YOUTH SKY

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪: ଉନ୍ମୋଚିତ ହେଲା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ୧୯୪୪ ମସିହାରୁ ଏହି ଦୁଇଟି ପତ୍ରିକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି । ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଛନ୍ତି ଯେ, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ପୁରାତନ ସଂସ୍କରଣର ଡିଜିଟାଇଜେସନ୍‌ କରାଯାଇଛି । ଏହା ବିଭାଗୀୟ ୱେବସାଇଟରେ ପାଠକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି । ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିବା ସେ ପ୍ରକାଶ କରିଛନ୍ତି । ସେହିପରୀି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ଏହି ପତ୍ରିକା ଦୁଇଟିରେ ଓଡ଼ିଶାର ଭାଷା, ସାହିତ୍ୟ ନେଇ ବହୁ ଉପାଦେୟ ତଥା ପୁରାତନ ଆଲେଖ୍ୟ ସ୍ଥାନ ପାଇଛି ବୋଲି କହିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଗବେଷକମାନେ ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର କ୍ରମବିକାଶ ସଂପର୍କରେ ଅବଗତ ହୋଇପାରିବେ ବୋଲି ସେ ଏହି କାର୍ଯ୍ୟକ୍ରମ ମତବ୍ୟକ୍ତ କରିଛନ୍ତି ।

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦିକା କସ୍ତୁରୀ ମହାପାତ୍ର ଉଭୟ ପତ୍ରିକା ଓଡ଼ିଶା ସରକାରଙ୍କ ମୁଖପାତ୍ର ଭାବେ ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଇଆସୁଛି ବୋଲି ପ୍ରକାଶ କରିଛନ୍ତି । ଏହି ପତ୍ରିକା ବେଶ୍‌ ପାଠକୀୟ ଆଦୃତି ଲାଭ କରିବା ସହିତ ଓଡ଼ିଶାବାସୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାରେ ୧୯ଟି ନିବନ୍ଧ ଏବଂ ଓଡ଼ିଶା ରିଭ୍ୟୁରେ ୨୭ଟି ନିବନ୍ଧ ସ୍ଥାନ ପାଇଥିବା ସେ କହିଛନ୍ତି । କାର୍ଯ୍ୟକ୍ରମ ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.