ଘୋଷଣା ହେଲା ସମୟ, ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ!
ମେ ୧୫ ରୁ ୨୦ ତାରିଖ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ।
ଭୁବନେଶ୍ୱର: ସରିଛି +୨ ପରୀକ୍ଷା। ଚାଲିଛି ଖାତାଦେଖା। ଖାଲି ଫଳାଫଳକୁ ଅପେକ୍ଷା। ହେଲେ ଖାତା ଦେଖାରେ ବାଧକ ସାଜିଛି ପ୍ରଚଣ୍ଡ ଖରା ତାତି। ଖାତା ଦେଖିବାକୁ ଆସିପାରୁନାହାନ୍ତି ଶିକ୍ଷକ।
ତେଣୁ ପରୀକ୍ଷା ଫଳାଫଳ ବାହାରିବାରେ ବିଳମ୍ୱ ହେଉଛି। ହେଲେ ଏବେ ସୂଚନା ମିଳିଛି କି, ମେ ୧୫ ତାରିଖରୁ ୨୦ ତାରିଖ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ।
କାରଣ ଏପ୍ରିଲ ୨୮ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ, ଏଥିରେ କିନ୍ତୁ ବିଳମ୍ୱ ହୋଇ ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ସ୍ଥାନରେ ଖାତା ଦେଖିବାକୁ ସେଣ୍ଟର ଆସିବାକୁ ସମସ୍ୟା ହେଉଥିଲା।
ଫଳରେ ସକାଳେ କି ସନ୍ଧ୍ୟାରେ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୯୦ ପ୍ରତିଶତ ଖାତା ଦେଖା ସରିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମାଲକାନଗିରି ଓ ବରଗଡରେ କିଛି ସମସ୍ୟା ଦେଖାଯାଇଥିଲା। ଏହାସହ ଅନଲାଇନ ଅପଡେସନ ପାଇଁ ଦୁଇ ଦିନ ସମୟ ଲାଗିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।