fbpx

ସଙ୍କଟରେ Googleର ୩୦ ହଜାର କର୍ମଚାରୀଙ୍କ ଚାକିରି: AIକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ୍ ସର୍ଚ୍ଚ ଇଞ୍ଜିନ ଗୁଗଲର କର୍ମଚାରୀଙ୍କ ଚାକିରିକୁ ନେଇ ଆସିଛି ଏକ ବଡ଼ ଖବର । ଚଳିତ ବର୍ଷ ଗୁଗଲରୁ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ ପୁଣି ଥରେ ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ୩୦ ହଜାର କର୍ମଚାରୀ କାମ କରୁଥିବା ଆଡ-ସେଲ୍ସ ୟୁନିଟକୁ କମ୍ପାନୀ ପୁନର୍ଗଠନ କରିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ତେବେ ଏହି ଛଟେଇ ନେଇ ଗୁଗଲ ପକ୍ଷରୁ ସ୍ପଷ୍ଟ ଭାବେ କୌଣସି ସୂଚନା ଜାରି କରାଯାଇ ନାହିଁ । ଅନ୍ୟପକ୍ଷରେ ୩୦ ହଜାର କର୍ମଚାରୀଙ୍କୁ ନେଇ ଗଠିତ ବିଭାଗକୁ କମ୍ପାନୀ ପୁନର୍ଗଠନ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୂର୍ବରୁ କମ୍ପାନୀ ୧୨ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଥିବା ବେଳେ ଏଥର ପୂର୍ବ ରେକର୍ଡ ଟପିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ହଜାର ହଜାର କର୍ମଚାରୀ ଏବେ ସେମାନଙ୍କର ଚାକିରିର ଭବିଷ୍ୟତକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି ।

କମ୍ପାନୀ ନିଜର ବିଜ୍ଞାପନ ସେଲ୍ସ ୟୁନିଟରେ ଏକ ପରିବର୍ତ୍ତନ କରିବାକୁ ଯାଉଛି । ତେଣୁ ତା’ପରଠାରୁ କର୍ମଚାରୀଙ୍କ ମଧ୍ୟରେ ଛଟେଇ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉକ୍ତ ଡିପାର୍ଟମେଣ୍ଟରେ ପାଖାପାଖି ୩୦ ହଜାର ଲୋକ କାମ କରୁଛନ୍ତି । ଗତ ସପ୍ତାହରେ ସମାପ୍ତ ହୋଇଥିବା ଗୁଗଲର ବୈଠକରେ ଛଟେଇକୁ ନେଇ କୌଣସି ଆଲୋଚନା ହୋଇନଥିଲେ ହେଁ କର୍ମଚାରୀଙ୍କ ମଧ୍ୟରେ ଆଶଙ୍କାର ବାଦଲ ଛାଇ ଯାଇଛି । ତେବେ ଗୁଗଲ କ୍ରମାଗତ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ନିବେଶ କରିବାରେ ଲାଗିଛି । ତେଣୁ ଏଆଇର ବ୍ୟବହାର ପରଠାରୁ ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ଚାକିରି ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଯଦି କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ଛଟେଇ ନକରେ, ତେବେ ସେମାନଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିପାରେ । କମ୍ପାନୀ ପକ୍ଷରୁ ଏନେଇ କିଛି ସୂଚନା ଜାରି କରାଯାଇ ନାହିଁ ।

Get real time updates directly on you device, subscribe now.