fbpx

ଦଶାହ ଭୋଜି ଖାଇ ୩୨ ଜଣ ଅସୁସ୍ଥ: କୂଅ ପାଣିରେ ରନ୍ଧା ଯାଇଥିଲା ଖାଦ୍ୟ, ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ବିଭିନ୍ନ ସାମାଜିକ ତଥା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଅବସରରେ ହେଉଥିବା ଭୋଜିଭାତ ସମସ୍ତେ ଆନନ୍ଦ ଉଲ୍ଲାସରେ ସେବନ କରିଥାନ୍ତି । ତେବେ ଅନେକ ସମୟରେ ଆମର ଅସାବଧାନତା ପାଇଁ ତାହା କାଳ ସାଜିଥାଏ । ବେଳେବେଳେ ଭୋଜି ଖାଇ କିଛି ସ୍କୁଲ ପିଲା ଓ ଲୋକମାନେ ଆକ୍ରାନ୍ତ ହେଉଥିବା ଦେଖାଯାଇଥାଏ । ଖରାପ ପାଣି, ଖରାପ ପରିବା ଓ ରନ୍ଧା ଖାଦ୍ୟରେ କିଛି ଜୀବଜନ୍ତୁ ପଡ଼ିବା ଫଳରେ ବହୁ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥାଏ ।

ତେବେ ଦଶାହ ଭୋଜି ଖାଇ ୩୨ ଜଣ ଲୋକ ଅଚାନକ ଅସୁସ୍ଥ ହୋଇ ପଡ଼ିବା ଘଟଣା ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ଆସିଛି ଏଭଳି ଏକ ଖବର । ଗତକାଲି ଦଶାହ ଭୋଜି ଖାଇ ୨୦ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ ଆଜି ସାନଇନ୍ଦୁପୁର ଗାଁରେ ୧୨ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ନିମନ୍ତେ କୋଇଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପଛର କାରଣ ଖୋଜିବା ପାଇଁ ସମସ୍ତେ ଏବେ ଲାଗି ପଡ଼ିଛନ୍ତି ।

ଗାଁରେ ଥିବା ଏକ କୂଅରୁ ପାଣି ନେଇ ଭୋଜି ରନ୍ଧା ଯାଇଥିଲା । ତେଣୁ ଉକ୍ତ କୂଅ ପାଣିକୁ ପରୀକ୍ଷା କରିବା ପାଇଁ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିଛି । କୂଅ ପାଣିରେ ରୋଷେଇ କରାଯାଇଥିବାରୁ ପାଣିର ମାନକୁ ନେଇ ସମସ୍ତେ ସନ୍ଦେହ ପ୍ରକଟ କରୁଛନ୍ତି । ତେବେ ପରୀକ୍ଷା ପରେ ଏହା ପଛର ସବୁ କାରଣ ସାମ୍ନାକୁ ଆସିବ । ସାଧାରଣ ଭାବେ ଗାଁମାନଙ୍କରେ ରହିଥିବା ବହୁ ପୁରୁଣା କୂଅରୁ ଅନେକ ସମୟରେ ଗ୍ରାମବାସୀ ପାଣି ନେଇ ବିଭିନ୍ନ ଆନୁଷ୍ଠାନିକ ଭୋଜିଭାତ କରିଥାନ୍ତି । ମାତ୍ର ଏହା ଅନେକ ସମୟରେ କାଳ ସାଜିଥାଏ । କୂଅର ଅପରିଷ୍କାର ପାଣିରେ ବିଭିନ୍ନ ପ୍ରକାରର ଜୀବାଣୁ ରହିବା ସହ ତାହାକୁ ସେବନ କଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

Get real time updates directly on you device, subscribe now.