୧୮୦ ରନର ବଡ଼ ସ୍କୋର କରି ଭାରତ ହାରିଲା କାହିଁକି? ପରାଜୟ ପାଇଁ ୪ଟି ବଡ଼ କାରଣ ଦାୟୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ଡିଏଲଏସ ନିୟମରେ ୫ ୱିକେଟରେ ପରାସ୍ତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍ ସଂଗ୍ରହ କରିଥିଲେ ବି ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ଅତି ସହଜରେ ଜିତିଯାଇଥିଲା । ଏହି ଫଳାଫଳକୁ ନେଇ ଅନେକ ପ୍ରଶଂସକ ଚକିତ ହୋଇଯାଇଛନ୍ତି । ତେବେ ଭାରତର ପରାଜୟ ପାଇଁ ମୁଖ୍ୟତଃ ୪ଟି ବଡ଼ କାରଣ ଦାୟୀ ।

୧- ଭାରତ ବ୍ୟାଟିଂ କରୁଥିବା ସମୟରେ ପିଚ ସାମାନ୍ୟ ଧୀମା ରହିବା କାରଣରୁ ପ୍ରତିପକ୍ଷଙ୍କୁ ଏହାର ଫାଇଦା ମିଳିଥିଲା । ତେଣୁ ଆଫ୍ରିକୀୟ ବୋଲର ତବ୍ରେଜ ଶମ୍ସି ୪ ଓଭର ବୋଲିଂ କରି ମାତ୍ର ୧୮ ରନ୍ ଦେଇଥିଲେ । ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡମ ମାରକ୍ରମ ମଧ୍ୟ ଏହା ସ୍ୱୀକାର କରିଛନ୍ତି ।

୨- ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବା ପୂର୍ବରୁ ପ୍ରବଳ ବର୍ଷା ହୋଇଥିଲା । ତେଣୁ ପଡ଼ିଆ ଓଦା ରହିବା କାରଣରୁ ଭାରତୀୟ ବୋଲିଂ ପ୍ରଭାବହୀନ ହୋଇପଡ଼ିଥିଲା । ଏହାର ଫାଇଦା ନେଇ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ରନ୍ ବର୍ଷା କରିଚାଲିଥିଲେ ।

୩- ଏହି ମ୍ୟାଚରେ ଦୁଇ ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଓ ଶୁବମନ ଗିଲ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରି ଯାଇଥିଲେ । ତେଣୁ ପ୍ରାରମ୍ଭିକ ଝଟକା କାରଣରୁ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ।

୪- ଡିଏଲଏସ ଲାଗୁ ହେବା ଫଳରେ ଦକ୍ଷିଣ ଆଫ୍ରିକାକୁ ୧୫ ଓଭରରେ ୧୫୨ ରନର ଟାର୍ଗେଟ ଦିଆଯାଇଥିଲା । ତେଣୁ ଦକ୍ଷିଣ ଆଫ୍ରିକାର ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ଆକ୍ରମଣାତ୍ମକ ଖେଳ ଜାରି ରଖି ଶେଷରେ ବିନା ଚାପରେ ଦଳକୁ ଜିତାଇଥିଲେ ।