fbpx

କରମଣ୍ଡଳ ଦୁର୍ଘଟଣା: ଆଖିରେ ଲୁହ, ହାତରେ ଫଟୋ… କାନ୍ଦି କାନ୍ଦି ବାପାଙ୍କୁ ଖୋଜୁଛି ୪ ବର୍ଷର ଝିଅ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନରେ ଶହ ଶହ ଜୀବନ ନେଇଛି କରମଣ୍ଡଳ ଦୁର୍ଘଟଣା । ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଲୋକଙ୍କ ପରିବାର ଉଜାଡି ଦେଇଛି ଏହି ଦୁର୍ଘଟଣା । କିଏ ନିଜ ଭାଇଙ୍କୁ ଖୋଜୁଛି ତ କିଏ ନିଜ ସ୍ୱାମୀଙ୍କୁ ତ ପୁଣି ଆଉ କେଉଁ ପିଲା ନିଜ ବାପାକୁ ଖୋଜି ବୁଲୁଛି । ସେମିତି ଏକ ଦୃଦୟଥରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ସିଙ୍ଗିପୁର ଗ୍ରାମରେ । ୪ ବର୍ଷର ଗୋଟିଏ କୁନି ଝିଅ ତା ବାପାଙ୍କ ଫଟୋକୁ ଧରି କାନ୍ଦି କାନ୍ଦି ଝୁରି ହେଉଛି ।

ସିଙ୍ଗିପୁର ଗ୍ରାମର ଭଗବାନ ପଲେଇଙ୍କ ପୁଅ ବିକ୍ଷିପ୍ତ ପଲେଇ, ଟାଟା ପାୱାର ବିଦ୍ୟୁତ କମ୍ପାନୀର ବାଲେଶ୍ୱର ଶାଖାରେ ଆକାଉଣ୍ଟସ ଅଧିକାରୀ ଭାବରେ କାର୍ଯ୍ୟରତ । ତେବେ ସେ ଭଦ୍ରକରୁ ବାଲେଶ୍ୱର ପ୍ରତିଦିନ କରମଣ୍ଡଳ ଏକ୍ସପ୍ରେସରେ ଯାତାୟତ କରିଥାନ୍ତି । କିନ୍ତୁ ଜୁନ ୨ ତାରିଖର ସେହି ଦୁର୍ଘଟଣା ବିକ୍ଷିପ୍ତଙ୍କୁ ତାଙ୍କ ବାପା, ମା, ସ୍ତ୍ରୀ-ପିଲାଙ୍କଠାରୁ ଦୂରେଇ ଦେଇଛି । ଦୁର୍ଘଟଣା ବିଷୟରେ ଜାଣିବା ପରେ ବିକ୍ଷିପ୍ତଙ୍କୁ ପରିବାର ଲୋକେ ପୋନ ଲଗାଇଥିଲେ, କିନ୍ତୁ ଫୋନ୍ ଲାଗି ନଥିଲା । ତେବେ ଅନେକ ଖୋଜାଖୋଜି ପରେ ଦୁର୍ଘଟଣା ପରଦିନ ମଧ୍ୟାହ୍ନରେ ବିକ୍ଷିପ୍ତଙ୍କ ମୃତଦେହ ଠାବ କରାଯାଇଛି । ଏହାପରେ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସେପଟେ ବିକ୍ଷିପ୍ତଙ୍କର ୪ ବର୍ଷର ଝିଅ ତାଙ୍କ ଫଟୋକୁ ଧରି ବାପାଙ୍କୁ ଖୋଜି ହେଉଛି । ବାରମ୍ବାର ମା’କୁ ପଚାରୁଛି ବାପା କେବେ ଆସିବେ? କିନ୍ତୁ ବାପା କେବେ ଆଉ ଫେରିବେନି ବୋଲି ବୁଝି ପାରିନି ୪ ବର୍ଷର କୁନି ଝିଅ । ତେବେ ବାପା ଭଗବାନଙ୍କ ପରେ ଏହି ପରିବାରର ବିକ୍ଷିପ୍ତ ଥିଲେ ଏକମାତ୍ର ରୋଜଗାର ବ୍ୟକ୍ତି । ଏବେ ତାଙ୍କର ଅକାଳ ମୃତ୍ୟୁ ପରିବାରକୁ ମୁରବୀହୀନ କରି ଦେଇଛି ।

Get real time updates directly on you device, subscribe now.