fbpx

ଅଶୁଭ ସାଜିଲା ମେ ୩୦! ମୃତ୍ୟୁକୁ ରୋକିବ କିଏ, ଅକାଳରେ ଲିଭିଗଲା ୪୦ ଜଣଙ୍କ ଜୀବନର ଦୀପ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେ ୩୦ରେ ସାଜିଲା ଅଶୁଭ । ଲିଭିଗଲା ୩୭ ଜଣଙ୍କ ଜୀବନର ଦୀପ । ଆଜି ୩ଟି ବଡ଼ ଅଘଟଣ ଘଟି ଅନେକ ଲୋକଙ୍କର ଜୀବନ ଦୀପ ସବୁଦିନ ପାଇଁ ଅସ୍ତମିତ ହୋଇଯାଇଛି । ଗତକାଲି ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳ ଘଟିଥିଲା ଏକ ବଡ଼ ଅଘଟଣ । ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବା ଫଳରେ ୨୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ବାଣ ବିସ୍ଫୋରଣରେ ୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ପହଞ୍ଚି ସମସ୍ତ ଆହତଙ୍କୁ ଭେଟିବା ସହିତ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ସେହିପରି ରାଜ୍ୟରେ ଆଉ ଏକ ଅଘଟଣ ଘଟିଯାଇଛି । ଆଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)ରେ ୬ ଘଣ୍ଟା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ପରେ ଏହି ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିଲା । ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିବା ବେଳେ ପରେ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ତେବେ ହିଟୱେଭ କାରଣରୁ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଇଥିଲା । ଆସନ୍ତାକାଲି ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହୋଇପାରିବ । ସେହିପରି ଆଉ କିଛି ଗୁରୁତରଙ୍କ ଚିକିତ୍ସା ୱାର୍ଡ ଭିତରେ ଚାଲିଥିବା ଜଣାପଡ଼ିଛି ।

ଏଥିସହିତ ଆଜି ଜମ୍ମୁରେ ମଧ୍ୟ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିଲା । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଏକ ବସ୍ ୧୫୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୨୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିବା ସହିତ ୫୭ ଜଣ ଆହତ ହୋଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତମାନଙ୍କୁ ଅଖନୁର ହସ୍ପିଟାଲ ଓ ଜମ୍ମୁର ସରକାରୀ ମେଡିକାଲ କଲେଜ (ଜିଏମସି) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ଏହି ଅଘଟଣ ଘଟିଥିଲା । ଚୌକି ଚୌରା କ୍ଷେତ୍ରର ତଙ୍ଗଲୀ ମୋଡ଼ରେ ବସଟି ପାଖାପାଖି ୧୫୦ ଫୁଟ ତଳେ ଥିବା ଏକ ଖାଇ ମଧ୍ୟକୁ ଖସିପଡ଼ିଥିଲା ।

ତୀର୍ଥଯାତ୍ରୀଙ୍କୁ ନେଇ ବସଟି ୟୁପିର ହାଥରସରୁ ଜମ୍ମୁ କଶ୍ମୀରର ରିୟାସୀ ଜିଲ୍ଲା ସ୍ଥିତ ଶିବ ଫୋଡ଼ି ଅଭିମୁଖେ ଯାତ୍ରା କରୁଥିଲା । ମାତ୍ର ବାଟରେ ଏଭଳି ବଡ଼ ଅଘଟଣ ଘଟିଥିଲା । ଏହି ଘଟଣା ଘଟିବା ପରେ ଲୋକଙ୍କର ଚିକ୍ରାର ଶୁଣିବାକୁ ମିଳିଥିଲା । ପୋଲିସ, ନାଗରିକ, ଏସଡିଆରଏଫ, ଏନଡିଆରଏଫ ପକ୍ଷରୁ ତ୍ୱରିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ।

Get real time updates directly on you device, subscribe now.