fbpx

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଲା: ନିର୍ବାଚନ ପୂର୍ବରୁ ଛପା ହେବ ୫୦ ହଜାର ‘ଛବିଳ ମଧୁ ବର୍ଣ୍ଣବୋଧ’, ଖୁବଶୀଘ୍ର ସ୍କୁଲକୁ ପଠାଯିବ କପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଛାତ୍ରଛାତ୍ରୀଙ୍କ ନିକଟକୁ ପୁଣି ଫେରିବ ‘ଛବିଳ ମଧୁ ବର୍ଣ୍ଣବୋଧ’ । ପ୍ରଥମ ପର୍ଯ୍ୟାୟରେ ୫୦ ହଜାରରୁ ଅଧିକ କପି ମୁଦ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ପୂର୍ବରୁ ଏହାର ଛପା ହେବା ଓ ନିର୍ବାଚନ ପରେ ଏହାର ବଣ୍ଣନ ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଆ ଭାଷାର ସମୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହାର ପୁନଃ ମୁଦ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ଜଣାପଡ଼ିଛି ।

ମଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛବିଳ ମଧୁ ବର୍ଣ୍ଣବୋଧ’କୁ ଓଡ଼ିଆ ଭାଷାର ମୂଳଦୁଆ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କ ନିକଟକୁ ପୁଣି ଫେରିବା ନିଶ୍ଚିତ ଭାବେ ବଡ଼ କଥା । ଛାତ୍ରଛାତ୍ରୀମାନେ ପୁଣି ଥରେ ଏହି ପାଠ ପଢ଼ିପାରିବେ । ଏହାର ପୁନଃ ମୁଦ୍ରଣ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟପନ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମଧୁସୂଦନ ରାଓଙ୍କ ଅଣନାତୁଣୀଙ୍କ ଠାରୁ ମୂଳ କପି ସଂଗ୍ରହ କରାଯିବା ସହିତ ବରିଷ୍ଠ ସାହିତ୍ୟିକ ତଥା ଭାଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି ।

ତେବେ ଏହା ସରକାରୀ ପ୍ରେସ କି ଘରୋଇ ପ୍ରେସରେ ଛପାଯିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ । ମୂଳ ‘ବର୍ଣ୍ଣବୋଧ’ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡ଼ିଛି । ପୂର୍ବରୁ ତାହା ଯେପରି ଥିଲା ଅବିକଳ ସେପରି ରହିବ । ନିର୍ବାଚନ ପୂର୍ବରୁ ଏହାର ସମସ୍ତ କାର୍ଯ୍ୟ ସରିବ ଓ ନିର୍ବାଚନ ପରେ ଓସେପା ସାହାଯ୍ୟରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟକୁ ତାହା ପଠାଯିବ । ଏଥିସହିତ ଓଡ଼ିଶା ପରିବାର ମାଧ୍ୟମରେ ପ୍ରବାସୀ ଓଡ଼ିଆ ପିଲାଙ୍କ ନିକଟକୁ ମଧ୍ୟ ‘ବର୍ଣ୍ଣବୋଧ’ ପଠାଯିବ । ସୂଚନାଯୋଗ୍ୟ ଯେ, ଏହି ବହିର ମୂଳ ପ୍ରକାଶନକୁ ବାଦ୍ ଦେଇ ନୂଆ କରି ଛପା ଯାଇଥିବାରୁ ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।

Get real time updates directly on you device, subscribe now.