କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା: ଦେଶର କେନ୍ଦ୍ରୀୟ ୟୁନିଭରସିଟିରେ ପୂରଣ ହେବ ୫୧୮୨ ଶିକ୍ଷକ ପଦ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ୫୧୮୨ଟି ଶିକ୍ଷକ ପଦ ପୂରଣ ହେବ । ରାଜ୍ୟସଭାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ବିଭିନ୍ନ କେନ୍ଦ୍ରୀୟ ୟୁନିଭରସିଟିରେ ୫ ହଜାରରୁ ଅଧିକ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କର ଅବସର, ଇସ୍ତଫା ସମେତ ଅତିରିକ୍ତ ଆବଶ୍ୟକତା କାରଣରୁ ଏହି ପଦ ସବୁ ପୂରଣ କରାଯିବ ।

ଶ୍ରୀ ମଜୁମଦାର କହିଛନ୍ତି, ୭,୬୫୦ ଶିକ୍ଷକ ପଦ କେନ୍ଦ୍ରୀୟ ୟୁନିଭରସିଟିମାନଙ୍କରେ ପୂରଣ ହୋଇ ସାରିଛି । ଆଗାମୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି । ଶିକ୍ଷା ମନ୍ତ୍ରଣାଳୟ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମିତ ଭାବେ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ସହ ଖାଲି ପଦସବୁକୁ ସ୍ଥାୟୀ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଖାଲି ପଦ, ବିଜ୍ଞାପନ, ଚାକିରି ବାବଦରେ ତଥ୍ୟ ଗୋଟିଏ ପ୍ଲାଟଫର୍ମରୁ ଜାଣିବା ପାଇଁ ଗତବର୍ଷ ମେ ମାସରେ ୟୁଜିସି ଛାତ୍ରଛାତ୍ରୀଙ୍କ ପାଇଁ କୁ-ଚୟନ ନାମକ ଏକ ପୋର୍ଟାଲ ଲଞ୍ଚ କରିଥିଲା ।