fbpx

ଜେଲ ସଂସ୍କାରରେ ୫ଟି ବ୍ୟବସ୍ଥା: କଏଦୀଙ୍କୁ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଜେଲ ସଂସ୍କାରକୁ ନେଇ ଏକାଧିକ ବଡ ଘୋଷଣା କରାଯାଇଛି । ଜେଲ ସଂସ୍କାରରେ ୫ଟି ବ୍ୟବସ୍ଥା ଲାଗୁ କରାଯିବା ସହିତ ଜେଲର ବହୁବିଧ ଉନ୍ନତି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ରହିଥିବା ଜେଲ ମାନଙ୍କରେ ଭିଡ କମ କରିବା ପାଇଁ ୨୨୦୯ଟି ଅତିରିକ୍ତ ଆବାସ ନିର୍ମାଣ କରାଯିବ । ବିଭିନ୍ନ ସର୍କଲ ଜେଲ ଓ ଜିଲ୍ଲା କାରାଗାରରେ ଡିପ ସର୍ଚ୍ଚ ମେଟାଲ ଡିଟେକ୍ଟର ଲଗାଯିବ । ଏହା ଦ୍ୱାରା ମୋବାଇଲ ଫୋନ୍, ଚାର୍ଜର ଓ ସିମ କାର୍ଡ ପ୍ରବେଶକୁ ରୋକାଯାଇପାରିବ ।

ପ୍ରଥମ ଥର ପାଇଁ ଶରୀରରେ ଲଗାଯାଇପାରୁଥିବା କ୍ୟାମେରା ଜେଲରେ ବ୍ୟବହୃତ ହେବ । ପୂର୍ବରୁ ଟ୍ରାଫିକ ପୋଲିସ୍ ଏହି ବ୍ୟବସ୍ଥାର ବ୍ୟବହାର କରୁଥିବା ବେଳେ ପରୀକ୍ଷାମୂଳମକ ଭାବରେ ଚୌଦ୍ୱାର ଓ ଭୁବନେଶ୍ୱର ଜେଲରେ ୨୦ଟି କ୍ୟାମେରାରେ ଏହି ବ୍ୟବସ୍ଥାର ଆରମ୍ଭ କରାଯିବ । ଅନୁଶୀଳନ ପରେ ଅନ୍ୟ ଜେଲରେ ଏହାର ଉପଯୋଗ ଉପରେ ନିଷ୍ପତ୍ତି ନିଆଯିବ । ରାଜ୍ୟର ୨୨ଟି ଜେଲରେ ଅଏଲ ପ୍ରସେସିଙ୍ଗ ୟୁନିଟ ସ୍ଥାପନ କରାଯିବ । ଏହା ଦ୍ୱାରା କଏଦୀ ସଂସ୍କାର ହେବା ସହିତ ଜେଲ ଅନ୍ତେବାସୀ ରୋଜଗାର ହାସଲରେ ସକ୍ଷମ ହେବେ । ରାଜ୍ୟର ୧୫ଟି ଜେଲପାଇଁ ପାୱାର ଟିଲର କିଣାଯିବ ଯେଉଁଥିରୁ କୃଷିକାର୍ଯ୍ୟରେ ସହାୟତା ମିଳିବ । ୩୦ଟି ଜିଲ୍ଲା ମୁଖ୍ୟ କାରାଗାରରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟକାରୀ କରାଯିବ । ୪୦ଟି ଜେଲପାଇଁ ଇ ରିକ୍ସା କିଣା ଯାଇଥିବା ବେଳେ ଏବଂ ଅସୁସ୍ଥ କଏଦୀଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ ହେବ ।

ଜେଲରେ ସ୍ୱତନ୍ତ୍ର ସନଷ୍ଟ୍ରୋକ ୱାର୍ଡ ନିର୍ମାଣ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ଏଥିରେ ଏସି ମଧ୍ୟ ଲଗାଯିବ । ବିଭିନ୍ନ ଜେଲରେ ହସ୍ପିଟାଲ ନିର୍ମାଣ ସହିତ ଇସିଜି ମେସିନ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ୨୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବାକୁ ଥିବା ବେଳେ ପଦ୍ମପୁର, ଜଗତସିଂହପୁର, ସୋରଡା ଓ ଜି. ଉଦୟଗିରିରେ ୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ । ଅଚଳ ଥିବା ସିସିଟିଭି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ସହିତ ଇଣ୍ଟର କମ ସୁବିଧା ଏବଂ ୧୩ଟି ଜେଲରେ ଭିଡିଓ ଅପ ଗ୍ରେଡେସନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

Get real time updates directly on you device, subscribe now.