fbpx

ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ଚୟନ କଲା ବିଜେପି: ଏହା ପଛରେ ରହିଛି ୬ଟି ବଡ଼ କାରଣ!

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବେ । ମୋହନଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତି ପାଇଥିବା ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ନାମ ଘୋଷଣା କରିଥିଲେ । ଏଥିସହିତ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ନାମ ମଧ୍ୟ ଘୋଷଣା କରିଥିଲେ । ତେବେ ପ୍ରତିଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଭିଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ପଛରେ ବିଜେପିର ବଡ଼ ସିକେଟ୍ ପ୍ଲାନ୍ ଲୁଚି ରହିଛି ।

୧- ଏଥର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ପରି ଆହୁରି ଅନେକ ହେଭିୱେଟଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ବିଜେପି ମୋହନଙ୍କୁ ଚୟନ କରିଥିଲା । ପୂର୍ବ ବିଜେଡି ସରକାରରେ ଦୀର୍ଘ ୨୪ ବର୍ଷ ଧରି ନବୀନ ଲୋକଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଅନୁରୂପ ଭାବେ ମୋହନଙ୍କ ପରି ଶାନ୍ତ ଓ ନମ୍ର ସ୍ୱଭାବର ବ୍ୟକ୍ତି ମଧ୍ୟ ରାଜ୍ୟର ଜନମାନସରେ ଗ୍ରହଣୀୟ ହୋଇପାରିବେ ବୋଲି ବିଜେପିକୁ ହୃଦବୋଧ ହୋଇଥାଇପାରେ ।

୨- କେନ୍ଦୁଝର ଏକ ଅନୁସୂଚିତ ଜନଜାତି (ଏସଟି) ଆସନ ହୋଇଥିବା ବେଳେ ମୋହନଙ୍କ ପରି ଜଣେ ଆଦିବାସୀ ଚେହେରାଙ୍କୁ ରାଜ୍ୟର ଦାୟିତ୍ୱ ଦେଇ ବିଜେପି ଏକ ନୂଆ ଇମେଜ୍ ସୃଷ୍ଟି କରିବାକୁ ପ୍ରୟାସ କରୁଥାଇପାରେ । ମୋହନଙ୍କ ପରି ଜଣେ ସରଳ ବ୍ୟକ୍ତିତ୍ୱ ଏ କ୍ଷେତ୍ରରେ ସଫଳ ହେବେ ବୋଲି ଦଳର ଶତ ପ୍ରତିଶତ ବିଶ୍ୱାସ ରହିଛି ।

୩- ଗତବର୍ଷ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିବା ପରେ ମଧ୍ୟ ବିଜେପି ଏହି ରଣନୀତି ପ୍ରୟୋଗ କରିଥିଲା । ଦଳରେ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଅନେକ ହେଭିୱେଟ ରହିଥିଲେ ବି ଦଳ ଶେଷରେ ମୋହନ ଯାଦବଙ୍କ ପରି ଜଣେ ଅନ୍ୟ ପଛୁଆ ନେତା (ଓବିସି) ସମ୍ପ୍ରଦାୟର ଚେହେରାଙ୍କୁ ଆଗକୁ ଆଣିଥିଲା ।

୪- ସେହିପରି ବିଷ୍ଣୁଦେଓ ସାଏଙ୍କ ପରି ଜଣେ ଆଦିବାସୀ ନେତାଙ୍କୁ ଦଳ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଭଜନ ଲାଲ ଶର୍ମାଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲା । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରି ଓଡ଼ିଶାରେ ସଫଳତା ପାଇବା ଲକ୍ଷ୍ୟରେ ବିଜେପି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ଥାଇପାରେ ।

୫- ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟରେ ଅନେକ ବିଧାୟକ, ସାଂସଦ ରହିଥିଲେ ହେଁ କାହାକୁ ସିଏମ୍ ଗାଦିରେ ବସାଇଲେ ସେ ସର୍ବସମ୍ମତିକ୍ରମେ ଗ୍ରହଣଯୋଗ୍ୟ ହୋଇ ପାରିବେ ତା’ ଉପରେ ଦଳ ଡିପ୍ ଫୋକସ୍ କରିଥିଲା । ଏଥିପାଇଁ ବିଧାୟକ ଓ ସାଂସଦଙ୍କର ଭୋଟିଂ କରାଯିବା ପରେ ମୋହନଙ୍କ ନାମରେ ମୋହର ବାଜିଥିଲା ।

୬- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ମୁଖ୍ୟ ସାରଥୀ ଅମିତ ଶାହ ସର୍ବଦା କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଟିକିନିଖି ତର୍ଜମା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ଦ୍ରୌପଦୀ ମୁର୍ମୁଙ୍କ ପରି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇବା ପରେ ଏବେ ମୋହନଙ୍କ ପରି ଜଣେ ଆଦିବାସୀଙ୍କୁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଜେପି ରାଜ୍ୟବାସୀଙ୍କୁ ଏକ ବଡ଼ ବାର୍ତ୍ତା ପ୍ରଦାନ କରିଛି ।

Get real time updates directly on you device, subscribe now.