ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ଦିଲ୍ଲୀର AIIMS ଠାରେ 92 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହି ଖବରକୁ ନେଇ ସାରା ଦେଶର ଶୋକର ଛାୟା ଖେଳିଯାଇଛି । କେନ୍ଦ୍ର ସରକାର ସାତ ଦିନର ଜାତୀୟ ଶୋକ ଘୋଷଣା କରିଛନ୍ତି ଏବଂ ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଶୁକ୍ରବାର ସକାଳ 11 ଟାରେ ଏକ କ୍ୟାବିନେଟ ବୈଠକ ଡକାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷକୃତ୍ୟ ସମ୍ପୁର୍ଣ୍ଣ ରାଜକୀୟ ଢଙ୍ଗରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟଦାରେ ତାଙ୍କର ଶେଷକୃତ୍ୟ ପାଳନ କରାଯିବ । କର୍ଣ୍ଣାଟକ ସରକାର ଛୁଟି ଘୋଷଣା କରିଛନ୍ତି ।
ଖବର ଅନୁସାରେ, ମନମୋହନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ଗତକାଲି ରାତିରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ହଠାତ୍ ସେ ଘରେ ଅଚେତ ହୋଇ ପଡିଥିଲେ । ହେଲେ ଗତକାଲି ରାତି ପ୍ରାୟ 9ଟା 51 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଶିଷ୍ଚ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ସେ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ଡକ୍ଟର ସିଂହ ଅଜସ୍ର ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।