fbpx

ଇଦ୍ ଉତ୍ସବ ବେଳେ ଆତଙ୍କବାଦୀଙ୍କ ବିସ୍ଫୋରଣ: DSPଙ୍କ ସମେତ ୭ ଜଣଙ୍କ ମୃତ୍ୟୁ, ୪୦ ଆହତ

ନୂଆଦିଲ୍ଲୀ: ଏକ ଭୟଙ୍କର ବିସ୍ଫୋରଣରେ ଜଣେ ଡିଏସପିଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୪୦ ଜଣ ଲୋକ ଏହି ବିସ୍ଫୋରଣରେ ଆହତ ହୋଇଥିବା ଜଣାପଡ଼ିଛି । ବଲୁଚିସ୍ତାନରେ ଦେଖିବାକୁ ମିଳିଛି ଏପରି ଏକ ବଡ଼ ଅଘଟଣ । ଇଦ-ମିଲାଦ-ଉନ ନବୀ ଉତ୍ସବ ପାଳନ ଚାଲିଥିବା ସମୟରେ ଅଚାନକ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

ଇଦ-ମିଲାଦ-ଉନ ନବୀ ପାଳନ ପାଇଁ ବହୁ ଲୋକ ଏକତ୍ରିତ ହୋଇଥିଲେ । ସେହି ସମୟରେ ଏକ ବିସ୍ଫୋରଣ ଘଟିଥିବା ଏକ ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି । ଉକ୍ତ ବିସ୍ଫୋରଣରେ ଜଣେ ଡିଏସପି ମଧ୍ୟ ପ୍ରାଣ ହରାଇଥିଲେ । ଆହତଙ୍କୁ ହସ୍ପିଟାଲ ନିଆଯାଇ ଜରୁରୀକାଳୀନ ଭିତ୍ତିରେ ଚିକିତ୍ସା କରାଯାଉଛି । କିଛି ଆହତଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଉଛି । ଏହା ପୂର୍ବରୁ ଚଳିତ ମାସରେ ଏକ ବିସ୍ଫୋରଣ ଘଟି ବହୁ ଲୋକ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତ ମାସରେ ମଧ୍ୟ ଏକ ବିସ୍ଫୋରଣ ଘଟି ବହୁ ଲୋକ ଆହତ ହୋଇଥିଲେ । ଗତ ୧୧ ତାରିଖରେ ସେହି ଜିଲ୍ଲାରେ ଏକ ବିସ୍ଫୋରଣ ଘଟି ଜମିୟତ ଉଲେମା-ଏ-ଇସଲାମ-ଫଜଲ (ଜେୟୁଆଇ-ଏଫ)ର ନେତା ହାଫିଜ ହମଦୁଲାଙ୍କ ସହିତ ଅତିକମରେ ୧୧ ଜଣ ଆହତ ହୋଇଥିଲେ । ତା’ର ଏକ ସପ୍ତାହ ପୂର୍ବରୁ ଏକ ବସଷ୍ଟାଣ୍ଡରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ଫଳରେ ସେହି ବାଟ ଦେଇ ଯାଉଥିବା ଦୁଇଜଣ ଆହତ ହୋଇଥିଲେ । ନିକଟରେ ପାକିସ୍ତାନରେ ବହୁ ଆତଙ୍କୀ ହମଲା ଦେଖିବାକୁ ମିଳୁଛି । ଚଳିତ ବର୍ଷ ଜାନୁଆରୀରେ କ୍ୱେଟାର ଏକ ମସଜିଦରେ ବିସ୍ଫୋରଣ ଘଟି ୨୦ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.