fbpx

ଭାରତ ବିଶ୍ୱ ଚାମ୍ପିୟନ ପଛରେ ୭ ଜଣ ହିରୋ: ଦକ୍ଷିଣ ଆଫ୍ରିକାର ସ୍ୱପ୍ନକୁ କରିଦେଲେ ଧୂଳିସାତ୍

Advertisement

ନୂଆଦିଲ୍ଲୀ: ୨୦୦୭ ମସିହା ପରେ ଦୀର୍ଘ ୧୭ ବର୍ଷର ପ୍ରତୀକ୍ଷା ପରେ ଭାରତ ଟି-୨୦ ବିଶ୍ୱକପରେ ବିଜୟୀ ହୋଇପାରିଛି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବା ସହିତ ବିଶ୍ୱ ଚାମ୍ପିୟନ ହୋଇ ପାରିଛି । ତେବେ ଭାରତର ବିଶ୍ୱ ଚାମ୍ପିୟନ ପାଇଁ ଜଣଙ୍କୁ ହିରୋ କୁହାଯାଇ ପାରିବ ନାହିଁ । ଭାରତର ବିଜୟ ପଛରେ ୭ ଜଣ ଖେଳାଳିଙ୍କର ବଡ଼ ଅବଦାନ ରହିଛି ।

୧- ବିରାଟ କୋହଲି: ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମାତ୍ର ୩୪ ରନରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ମାତ୍ର ଠିକଣା ସମୟରେ ଅଭିଜ୍ଞ ବିରାଟ କୋହଲି କ୍ରିଜରେ ଗୋଟିଏ ପଟେ ତିଷ୍ଠି ରହିଥିଲେ । ବିରାଟ ୫୯ ବଲରୁ ୭୬ ରନ୍ ସଂଗ୍ରହ କରି ଏକ ମଜବୁତ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲେ ।

୨- ଅକ୍ଷର ପଟେଲ: ମାତ୍ର ୫ ଓଭରରେ ଦଳ ୩ଟି ୱିକେଟ ହରାଇ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ଅକ୍ଷର ପଟେଲ ଟିମକୁ ସାହାରା ଦେଇଥିଲେ । ଅକ୍ଷର ୩୧ଟି ବଲରୁ ୪୭ ରନ୍ ସଂଗ୍ରହ କରି ଦଳକୁ ସମ୍ଭାଳି ନେଇଥିଲେ । ନଚେତ୍ ଭାରତର ବ୍ୟାଟିଂ ଆହୁରି ଶୋଚନୀୟ ହୋଇପଡ଼ିଥାନ୍ତା ।

୩- ଶିବମ୍ ଦୁବେ: ବିରାଟ କୋହଲି ଓ ଅକ୍ଷର ପଟେଲ ଭଲ ଅଧିକ ସମୟ କ୍ରିଜରେ ଜମି ରହିଥିଲେ ହେଁ ଦ୍ରୁତ ରନ୍ ସଂଗ୍ରହ ମାମଲାରେ ଭାରତ ପଛରେ ରହିଥିଲା । ତେଣୁ ଠିକଣା ସମୟରେ ଶିବମ୍ ଦୁବେ କ୍ରିଜକୁ ଆସି ୧୬ଟି ବଲରୁ ୩ଟି ଚୌକା ଓ ୧ଟି ଛକା ସହାୟତାରେ ୨୭ ରନ୍ ସଂଗ୍ରହ କରିଥିଲେ ।

୪- ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହ: ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହ ଉଭୟ ବୋଲିଂରେ କମାଲ କରିଥିଲେ । ବୁମ୍ରା ୪ ଓଭର ବୋଲିଂ କରି ମାତ୍ର ୨୦ ରନ୍ ଦେଇ ୨ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ୪ ଓଭର ବୋଲଂ କରି ୨ ୱିକେଟ ନେଇ ୧୮ ରନ୍ ଦେଇଥିଲେ । ଏହି ଦୁଇ ବୋଲର ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ ।

୫- ସୂର୍ଯ୍ୟକୁମାର ଯାଦବ: ଚଳିତ ବିଶ୍ୱକପରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ସେତେଟା କମାଲ୍ କରିପାରି ନଥିଲେ ହେଁ ଫାଇନାଲ ମ୍ୟାଚର ତାଙ୍କର କ୍ୟାଚ ସର୍ବଦା ସ୍ମରଣୀୟ ହୋଇ ରହିବ । ଫାଇନାଲ ଓଭରର ପ୍ରଥମ ବଲରେ ଡେଭିଡ୍ ମିଲରଙ୍କ କ୍ୟାଚ ନେଇ ସୂର୍ଯ୍ୟକୁମାର ବାଜି ପଲଟାଇ ଦେଇଥିଲେ । ଅନ୍ତିମ ଓଭରରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୧୬ ରନ ଆବଶ୍ୟକ ହେଉଥିବା ବେଳେ ମିଲରଙ୍କୁ ଆଉଟ୍ କରି ସୂର୍ଯ୍ୟକୁମାର ହିରୋ ସାଜିଥିଲେ ।

୬- ହାର୍ଦ୍ଦିକ ପାଣ୍ଡ୍ୟା: ଆଇପିଏଲରେ ଖରାପ ପ୍ରଦର୍ଶନ ପାଇଁ ନିନ୍ଦିତ ହୋଇ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଜି ଜାନ୍ ଲଗାଇ ଦେଇଥିଲେ । ଭାରତ ପୁଣି ଏକ ବିଶ୍ୱକପ୍ ହାତଛଡ଼ା କରୁଛି ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ବେଳେ ପାଣ୍ଡ୍ୟା ୧୭ତମ ଓଭରର ପ୍ରଥମ ବଲରେ ହେଇନରିଚ୍ କ୍ଲାସେନଙ୍କୁ ଆଉଟ୍ କରି ମ୍ୟାଚର ମୋଡ଼କୁ ବଦଳାଇ ଦେଇଥିଲେ । ପାଣ୍ଡ୍ୟା ୩ ଓଭର ବୋଲିଂ କରି ମାତ୍ର ୨୦ ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.