fbpx

ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ କରିବା ପଛରେ ୭ଟି ବଡ଼ କାରଣ: ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ BCCIର ମାଷ୍ଟର ପ୍ଲାନ୍!

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଗମ୍ଭୀର ଟିମ୍ ଇଣ୍ଡିଆର ଦାୟିତ୍ୱ ନେବା ନେଇ ଗତ କିଛିଦିନ ଧରି ଚର୍ଚ୍ଚା ହୋଇ ଆସୁଥିବା ବେଳେ ଶେଷରେ ତା’ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ତେବେ କୋଚ ହେବା ପୂର୍ବରୁ ଗମ୍ଭୀର ଅନେକ ସର୍ତ୍ତ ରଖିଥିବା କୁହାଯାଉଛି । ସେହିପରି ଗମ୍ଭୀରଙ୍କ ପରି ଅନେକ ପୂର୍ବତନ ବରିଷ୍ଠ ଖେଳାଳି ଏହି କୋଚ ପାଇଁ ଯୋଗ୍ୟ ରହିଥିଲେ ବି ଗମ୍ଭୀରଙ୍କୁ କ’ଣ ପାଇଁ ଚୟନ କରାଗଲା ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଗମ୍ଭୀରଙ୍କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ’ଣ ମାଷ୍ଟର ପ୍ଲାନ ରହିଛି ତାହା ସମସ୍ତ ଭାରତୀୟ ଫ୍ୟାନ୍ସ ନିହାତି ଜାଣିବା ଆବଶ୍ୟକ ।

୧- ସିଧାସଳଖ ଭାବେ କୋଚିଂ କ୍ଷେତ୍ରରେ ଗମ୍ଭୀରଙ୍କର ଅଭିଜ୍ଞତା ନଥିଲେ ହେଁ ତାଙ୍କ ନେତୃତ୍ୱରେ କୋଲକତା ନାଇଟ୍ ରାଇଡର୍ସ ଦୁଇଥର ଆଇପିଏଲ ଚାମ୍ପିୟନ ହୋଇପାରିଛି । ଗମ୍ଭୀରଙ୍କ କୋଲକତାର ମେଣ୍ଟର ଥାଇ ଟିମ୍ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଜିତିପାରିଥିଲା । ତେଣୁ ଗମ୍ଭୀରଙ୍କୁ ନେଇ ଜାତୀୟ ସ୍ତରରେ ଏକ ବଡ଼ ଚର୍ଚ୍ଚା ହୋଇଥିଲା ।

୨- ୨୦୦୭ ଓ ୨୦୧୧ ବିଶ୍ୱକପର ଫାଇନାଲ ମ୍ୟାଚରେ ଗମ୍ଭୀରଙ୍କ ପ୍ରଦର୍ଶନକୁ ଆଜି କେହି ଭୁଲିନାହାନ୍ତି । ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଦଳ ଆଗ ବୋଲି ଗମ୍ଭୀର ଅନେକ ଥର ଖୋଲାଖୋଲି ଭାବେ କହି ଆସିଛନ୍ତି । ଏବେ ବି ତାଙ୍କ ନିକଟରେ ଯୁବସୁଲଭ ଲଢ଼ୁଆ ମନୋବୃତ୍ତି ରହି ଆସିଛି । ଟିମ୍ ଇଣ୍ଡିଆକୁ ଏପରି ଜଣେ ଗୁରୁଙ୍କର ଆବଶ୍ୟକତା ଥିବା ବୋଧହୁଏ ବିସିସିଆଇ ହୃଦୟଙ୍ଗମ କରିପାରିଥିଲା ।

୩- ମ୍ୟାଚରେ ସର୍ବଦା ବିଜୟ ପାଇଁ ସେ କିଛି କରିବାକୁ ପ୍ରସ୍ତୁତ ବୋଲି ଗମ୍ଭୀର କହିଥାନ୍ତି । ଭାରତର ଅନେକ ବଡ଼ ବଡ଼ ଖେଳାଳି ଫାଇନାଲରେ ଫେଲ୍ ମାରିଥିବାର ଦେଖାଯାଇଛି । ଏଥିସହିତ ଗତ ୧୦ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆର ସ୍ଥିତିରେ ଉତ୍ଥାନ-ପତ୍ତନ ଦେଖିବାକୁ ମିଳିଛି । ତେଣୁ ବଡ଼ ବଡ଼ ମୁକାବିଲାରେ କିପରି ଦମଦାର ପ୍ରଦର୍ଶନ କରିବାକୁ ହେବ, ନୂଆ ଟେକନିକ ଓ ଆଡଭାନ୍ସ କ୍ରିକେଟ ମଧ୍ୟରେ କିପରି ସଠିକ୍ ଭାବେ ତାଳମେଳ ରଖାଯାଇ ପାରିବ, ସେନେଇ ଗମ୍ଭୀରଙ୍କ ଉପରେ ବିସିସିଆଇ ଆଶାପୋଷଣ କରିଛି ।

୪- ମୁଖ୍ୟ କୋଚ ପଦ ପାଇଁ ଅନେକ ଦାବିଦାର ରହିଥିଲେ ହେଁ ଗମ୍ଭୀରଙ୍କ ଆଗରେ ସମସ୍ତେ ଫିକା ପଡ଼ିଯାଇଥିଲେ । ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ଦୁଇ ଭାରତୀୟ ଷ୍ଟାର କ୍ରିକେଟର ଟି-୨୦ରୁ ସନ୍ନ୍ୟାସ ନେଇ ସାରିଥିବା ବେଳେ ଆଉ କିଛି ବର୍ଷ ମଧ୍ୟରେ ସବୁ ଫର୍ମାଟରେ ସେମାନଙ୍କୁ ଦେଖିବାକୁ ମିଳିବନି । ତେଣୁ ଆଗାମୀ ବିଶ୍ୱକପ ଓ ଭବିଷ୍ୟତର କ୍ରିକେଟ ପାଇଁ ଗମ୍ଭୀର ଦକ୍ଷ ଖେଳାଳି ଓ ନୂଆ ଟିମ୍ ପ୍ରସ୍ତୁତ କରିବେ ।

୫- ଗମ୍ଭୀରଙ୍କ ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ୫ଟି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବ । ତେଣୁ ଏଥିପାଇଁ ଭାରତୀୟ ଟିମକୁ ମଜବୁତ୍ ହେବାକୁ ପଡ଼ିବ । ବଡ଼ ବଡ଼ ଖେଳାଳିମାନେ ବଡ଼ ଟୁର୍ଣ୍ଣାମେଣ୍ଟରେ ଫ୍ଲପ୍ ହେବା ପରେ ଦଳର ଦୟନୀୟ ପ୍ରଦର୍ଶନ ଭାରତ ପାଇଁ ମୁଖ୍ୟ ସମସ୍ୟା ହୋଇ ଆସିଛି । ତେଣୁ ଆଗାମୀ ଦିନରେ ଏହା ଉପରେ ଗମ୍ଭୀର ଫୋକସ୍ କରିବେ ।

୬- ଗମ୍ଭୀରଙ୍କ ଫିଲୋସଫି ଅତ୍ୟନ୍ତ ସ୍ପଷ୍ଟ । ସେ ଛୋଟ, ବଡ଼ ସବୁ ଖେଳାଳିଙ୍କୁ ସମାନ ଗୁରୁତ୍ୱ ଦେଇଥାନ୍ତି । ଗମ୍ଭୀରଙ୍କ ରଣନୀତି କିଛି କ୍ରିକେଟରଙ୍କୁ ସୀମିତ ସମୟ ପାଇଁ ଅସନ୍ତୁଷ୍ଟ କରିପାରେ, ମାତ୍ର ଭାରତୀୟ କ୍ରିକେଟର ଭବିଷ୍ୟତ ପାଇଁ ତାହା ଶୁଭଙ୍କର ହେବ ବୋଲି ବୋଧହୁଏ ବିସିସିଆଇକୁ ହୃଦବୋଧ ହୋଇଛି । ନଚେତ୍ ମିଡ଼ିଆରେ ଗମ୍ଭୀରଙ୍କ ରୋକଠୋକ୍ ବୟାନ ପରେ ବିସିସିଆଇ ତାଙ୍କୁ ଏତେବଡ଼ ଦାୟିତ୍ୱ କାହିଁକି ଦେଇଥାନ୍ତା ।

୭- ପୂର୍ବରୁ ଅନେକ କୋଚ ଆସିଥାନ୍ତି ଆଉ ଯାଇଛନ୍ତି । ଏହି ଅବଧି ମଧ୍ୟରେ ଭାରତୀୟ ଟିମର ପ୍ରଦର୍ଶନ ସାରା ବିଶ୍ୱ ଦେଖିଛି । ଦଳରେ ବଡ଼ ନାମ ଅପେକ୍ଷା ଦକ୍ଷତାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଗମ୍ଭୀର ପ୍ରଥମରୁ ସ୍ପଷ୍ଟ କରିସାରିଛନ୍ତି । ତେଣୁ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ହେଡ୍ କୋଚ କରି ବିସିସିଆଇ ଦେଶର ଭବିଷ୍ୟତର କ୍ରିକେଟ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Get real time updates directly on you device, subscribe now.