ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ରୁତ ଗତିରେ ଗାଡ଼ି ଚାଳନା, ଦାହିତ୍ୱହୀନତା, ମଦ୍ୟପାନ ଆଦି ବିଭିନ୍ନ କାରଣରୁ ଅକାଳରେ ଅନେକ ଜୀବନ ଚାଲିଯାଉଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣା ଘଟି ୮ ଜଣଙ୍କ ଜୀବନର ଦୀପ ସବୁଦିନ ପାଇଁ ଲିଭି ଯାଇଛି । ଗୋଟିଏ ପିକଅପ୍ ଭ୍ୟାନ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଏକ ଭୟଙ୍କର ବିପଦର ସାମ୍ନା କରିବାକୁ ପଡ଼ିଥିଲା ।
ସୂଚନା ମୁତାବକ, ଉତ୍ତରପ୍ରଦେଶର ମୁରାଦାବାଦର ଦଲପତପୁର କାଶୀପୁର ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ପିକଅପ୍ ଭ୍ୟାନ ଓ ଟ୍ରକ ମଧ୍ୟରେ ଜୋରଦାର ଟକ୍କର ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଟ୍ରକଟି ପିକଅପ୍ ଉପରେ ଚଢ଼ିଯିବା ପରେ ଗାଡ଼ି ଭିତରେ ଚାପି ହୋଇ ୮ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ତେବେ ଏହି ଘଟଣାରେ କିଛି ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଏସଏସପି ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଶବକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ନିମନ୍ତେ ପଠାଇଥିଲେ । କିଛି ଆହତଙ୍କୁ ମୁରାଦାବାଦର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ କିଛି ଆହତଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା । ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରବର୍ଗ ଏହି ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।