ସୁନା ଖୋଜିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ, ଅଜାଣତରେ ଚାଲିଗଲା 4ଜୀବନ
ସେପ୍ଟିକ ଟ୍ୟାଙ୍କରେ ସୁନା ଖୋଜିବାକୁ ଯାଇ 4ଶ୍ରମିକଙ୍କର ମୃତ୍ୟୁ, ଆଉ 2ଜଣ ଠିକ ଥିବାବେଳେ ଅନ୍ୟ 2ଜଣ ଗୁରୁତର ଅଛନ୍ତି
ଜୟପୁର: କୁହାଯାଏ ଜୀବନ କ୍ଷଣସ୍ଥାୟୀ, କେତେବେଳେ କେଉଁ ମୁହୂର୍ତ୍ତରେ ଯେ ଜୀବନ ଚାଲିଯିବ ତାହା କେହି ବି କହିପାରିବେ ନାହିଁ। ସେହିପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଇଛି ସେପ୍ଟିକ ଟ୍ୟାଙ୍କରେ ସୁନା ଖୋଜିବାକୁ ଯାଇ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ଜୟପୁରର ସାଙ୍ଗାନେର ସଦର ଥାନା ଅନ୍ତର୍ଗତ ସୀତାପୁରାର ଅଳଙ୍କାର ବଜାରରେ ବିଳମ୍ବିତ ରାତିରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏଠାରେ ଏକ ଅଳଙ୍କାର କାରଖାନାରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାକୁ ଯାଇ 8ଜଣ ଶ୍ରମିକଙ୍କ ମଧ୍ୟରୁ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ 4 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଦୁଇଜଣ ବାହାରକୁ ଆସିଥିବାବେଳେ ଅନ୍ୟ ଦୁଇଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
କୁହାଯାଉଛି ଯେ, ଅଳଙ୍କାର କାରଖାନାରେ ଅଳଙ୍କାର ତିଆରି ସମୟରେ ଗୁଣ୍ଡ ସୁନା ଏବଂ କଣିକା ବାହାରିଥାଏ। ତା ପରେ ଏହା ପାଣି ସହିତ ସେପ୍ଟିକ୍ ଟ୍ୟାଙ୍କରେ ଯାଇ ଜମା ହୋଇଯାଏ। ପ୍ରତି ଦୁଇ ମାସରେ ଥରେ, ଟାଙ୍କିକୁ ସଫା କରି ସେଥିରୁ ରାସାୟନିକ ପଦାର୍ଥ ଥିବା ପାଣି ବାହାର କରାଯାଏ ଯାହାଫଳରେ ସେଥିରେ ଥିବା ସୁନାକୁ ଛାଣି ବାହାର କରାଯାଇପାରିବ।
ସମାନ ଉଦ୍ଦେଶ୍ୟରେ ଶ୍ରମିକମାନଙ୍କୁ ଟାଙ୍କି ଭିତରକୁ ପଠାଯାଇଥିଲା। କିନ୍ତୁ ଟାଙ୍କିରେ ଥିବା ବିଷାକ୍ତ ଗ୍ୟାସ ଯୋଗୁଁ, ଜଣେ ପରେ ଜଣେ ଶ୍ରମିକ ଚେତାଶୂନ୍ୟ ହୋଇ ପଡ଼ିଲେ। ଯେତେବେଳେ ଟାଙ୍କି ଭିତରକୁ ପଶିଥିବା ଶ୍ରମିକମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା, ଅନ୍ୟ ଶ୍ରମିକମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ଟାଙ୍କି ଭିତରକୁ ଯାଇଥିଲେ କିନ୍ତୁ ସେମାନେ ମଧ୍ୟ ବିଷାକ୍ତ ଗ୍ୟାସର ଶିକାର ହୋଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସାଙ୍ଗାନେର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଶ୍ରମିକଙ୍କୁ ତୁରନ୍ତ ଟ୍ୟାଙ୍କରୁ ବାହାର କରାଯାଇ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରମାନେ ଚାରି ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ MGHର ମୋର୍ଚରୀରେ ରଖାଯାଇଛି। କୁହାଯାଉଛି ଯେ, ଟାଙ୍କିରେ ବିଷାକ୍ତ ଗ୍ୟାସ୍ ଯଥା କାର୍ବନ ଡାଇଅକ୍ସାଇଡ୍ କିମ୍ବା ଅନ୍ୟ କ୍ଷତିକାରକ ଗ୍ୟାସ ଥିବାରୁ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି, କୌଣସି ସୁରକ୍ଷା ଉପକରଣ ବିନା ଶ୍ରମିକମାନଙ୍କୁ ଟାଙ୍କି ଭିତରକୁ ପଠାଯାଇଥିଲା। ସେହି କାରଣରୁ ଦୁର୍ଘଟଣାଟି ଅଧିକ ଗମ୍ଭୀର ହୋଇଗଲା।
ରାଜସ୍ଥାନରେ ଏହା ପୂର୍ବରୁ ସମାନ ଘଟଣା ଘଟିଥିଲା। ଯେତେବେଳେ ପୁଣି ସେହି ଘଟଣାର ପୁନରାବୃତ୍ତି ହେଲା, ଶ୍ରମିକମାନେ ରାଗିଯାଇ ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ କାରଖାନା ପରିଚାଳନାକୁ ପଚରାଉଚରା କରାଯାଉଛି।