fbpx

ଅଷ୍ଟମ ବେତନ କମିଶନ ନେଇ ଆସିଲା ବଡ଼ ଅପଡେଟ୍: ସରକାରୀ କର୍ମଚାରୀଙ୍କ ଦରମା ୪୪ ପ୍ରତିଶତ ବୃଦ୍ଧି ପାଇବ!

ନୂଆଦିଲ୍ଲୀ: ଗତ ୨୪ ତାରିଖରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହାଫଳରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ପୁଣି ଖୁସି ଖବର ମିଳିବାକୁ ଯାଉଛି । ଏନେଇ ଏକ ବଡ଼ ଅପଡେଟ୍ ଆସିଛି ।

ସୂଚନା ମୁତାବକ, ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ପାଉଛନ୍ତି । ଏନେଇ କର୍ମଚାରୀମାନେ ବହୁବାର ଅଭିଯୋଗ କରିଆସୁଥିଲେ ହେଁ ସେମାନଙ୍କୁ ଦାବି ମୁତାବକ ବେତନ ମିଳୁନାହିଁ । ଅର୍ଥାତ କେନ୍ଦ୍ର କର୍ମଚାରୀଙ୍କୁ ଯେତିକି ବେତନ ମିଳିବା କଥା ତା’ଠାରୁ କମ୍ ଅର୍ଥ ମିଳୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଅଷ୍ଟମ ବେତନ କମିଶନ ଦାବି କରୁଛନ୍ତି ।

ଏକ ରିପୋର୍ଟ ମୁତାବକ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ବେତନ ସୀମା ୧୮ ହଜାର ରଖାଯାଇଛି । ଏହି ବେତନ ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ପ୍ରମୁଖ ଭୂମିକା ରହିଛି । ଏବେ ଏହି ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ସପ୍ତମ ବେତନ କମିଶନରେ ଏହାକୁ ୩.୬୮ ଗୁଣା ପର୍ଯ୍ୟନ୍ତ ରଖିବାକୁ ସୁପାରିଶ କରାଯାଇଛି । ଯଦି ଏହା ଉପରେ କେନ୍ଦ୍ର ସରକାର ସହମତି ପ୍ରକାଶ କରନ୍ତି ତେବେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ୧୮ ହଜାରରୁ ବୃଦ୍ଧି ପାଇ ୨୬ ହଜାର ହୋଇଯିବ ।

ଚତୁର୍ଥ ବେତନ କମିଶନରେ କର୍ମଚାରୀଙ୍କ ଦରମା ୨୭.୬ ପ୍ରତିଶତ ବଢ଼ିଥିବା ବେଳେ ସର୍ବନିମ୍ନ ସାଲାରି ୭୫୦ ଟଙ୍କା ହୋଇଥିଲା । ସେହିପରି ପଞ୍ଚମ ବେତନ କମିଶନରେ ୩୧ ପ୍ରତିଶତ ଦରମା ବଢ଼ିଥିଲା ଓ ସର୍ବନିମ୍ନ ଦରମା ୨,୫୫୦ ଟଙ୍କା ହୋଇଥିଲା । ଷଷ୍ଠ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଗୁଣା ହୋଇଥିବା ବେଳେ ସାଲାରି ୫୪ ପ୍ରତିଶତ ବୃଦ୍ଧି ସହ ସର୍ବନିମ୍ନ ଦରମା ୭ ହଜାର ରହିଥିଲା । ସପ୍ତମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ଦରମା ୧୪.୨୯ ପ୍ରତିଶତ ବୃଦ୍ଧି ଓ ସର୍ବନିମ୍ନ ସାଲାରି ୧୮ ହଜାର ହୋଇଥିଲା । ତେଣୁ ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୩.୬୮ ଗୁଣା ଯଦି ସମ୍ଭବ ହୁଏ ତେବେ ଦରମା ୪୪.୪୪ ପ୍ରତିଶତ ବୃଦ୍ଧି ହେବା ସହ ସର୍ବନିମ୍ନ ସାଲାରି ୨୬ ହଜାର ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.