ଜଣେ ବିବାହିତା ମହିଳାଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ପରେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଟଙ୍କା ହଡପ କରିବା ଏବଂ ଶେଷରେ ଏକାଧିକ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ସାମନାକୁ ଆସିଛି ।
ପୀଡିତା ଜଣକ ଏ ସଂକ୍ରାନ୍ତରେ ଜଗତପୁର ଥାନା ଅନ୍ତର୍ଗତ ଗୋପୀନାଥପୁରର ପ୍ରକାଶ ନାଥଙ୍କ ନାମରେ ଏତଲା ଦାୟର କରିଛନ୍ତି । ପୁଲିସ ପ୍ରକାଶକୁ ଅଟକ ରଖି ଜେରା ଜାରିରଖିଛି । ପୁଲିସ ସୂଚନା ମୁତାବକ ଅଭିଯୋଗକାରୀ ୨୬ ବର୍ଷିୟା ମହିଳା ଜଣକ କିଛି ବର୍ଷ ହେବ ନିଜ ବାପ ଘର ଜଗତପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ରହି ଆସୁଛନ୍ତି । ସେ ପୂର୍ବରୁ ବିବାହିତ ଥିଲେ ମଧ୍ୟ ତାଙ୍କ ସ୍ୱାମୀଙ୍କ ଠାରୁ ବିଚ୍ଛେଦ ପାଇଁ କୋର୍ଟରେ ମାମଲା ରହିଛି ।
ଗୋପୀନାଥପୁରର ପ୍ରକାଶ ନାଥଙ୍କ ସହିତ ପରିଚିତ ହେବା ପରେ ପ୍ରକାଶ ତାଙ୍କୁ ଚାକିରି କରାଇ ଦେବାକୁ କହି ବିଭିନ୍ନ ସଂସ୍ଥାକୁ ନେଇଥିଲେ । ସେଠାରେ ଅଫିସର ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ପରେ ଶାରୀରିକ ସମ୍ପର୍କ ରଖିବା ବେଳର ଭିଡିଓ ଭାଇରାଲ କରିଦେବାକୁ କହି ମହିଳାଙ୍କୁ ଲକ୍ଷାଧିକ ଟଙ୍କା ମାଗିବା ସହ ଧମକ ଚମକ ଦେଉଥିଲା । ଏମିତିକି ପ୍ରକାଶ ମହିଳାଙ୍କ ଘରକୁ ଯାଇ ଦୁଷ୍କର୍ମ କରିବା ସହିତ ହତ୍ୟା ଧମକ ଦେଇ ନିଶା ବଟିକା ଖୁଆଇ ଚମ୍ପଟ ମାରିଥିଲା । ଶନିବାର କଟକ ଜୋନ ୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସହିତ ସାଇଣ୍ଟିଫିକ୍ ଟିମ ଏବଂ ଜଗତପୁର ଥାନା ଅଧିକାରୀ ଉକ୍ତ ପିଡିତାଙ୍କ ମୁକୁନ୍ଦପୁର ସ୍ଥିତ ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରି ଫେରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚଳାଉଛି ।