ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପୁଣି ଥରେ ଭାରତ-ପାକ୍ ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହୋଇ ପାରନ୍ତି । ସମଗ୍ର ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକର ମ୍ୟାଚକୁ ଉତ୍ସୁକତାର ସହ ଚାହିଁ ରହିଥାନ୍ତି । ତେବେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚି ସାରିଛି । ଅନ୍ୟପକ୍ଷରେ ଲଗାତର ତୃତୀୟ ବିଜୟ ସହ ୟୁଏଇକୁ ୨୧ ରନରେ ପରାସ୍ତ କରି ପାକିସ୍ତାନ ମଧ୍ୟ ସେମିରେ ପହଞ୍ଚି ସାରିଛି ।
ତେବେ ଭାରତ ଓ ପାକ୍ ଦୁଇ ଟିମ୍ ସେମିରେ ପହଞ୍ଚି ସାରିଥିବାରୁ ପୁଣି ଥରେ ଏମାନଙ୍କର ମୁକାବିଲା ଫାଇନାଲରେ ହୋଇପାରେ । ତେବେ ବର୍ତ୍ତମାନ ଗ୍ରୁପ-ଏରେ ପାକିସ୍ତାନ ୧ମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ବାଂଲାଦେଶ ଓ ଶ୍ରୀଲଙ୍କା ମ୍ୟାଚର ବିଜେତାଙ୍କୁ ଭାରତ ସେମିରେ ଭେଟିବ । ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଶେଷ ବଲରେ ଭାରତକୁ ପରାସ୍ତ କରିଥିଲା । ତେଣୁ ଯଦି ଏହି ଦୁଇ ଟିମ୍ ପୁଣି ଥରେ ଫାଇନାଲରେ ଭେଟ ହୁଅନ୍ତି, ତେବେ ଏହାକୁ କ୍ରୀଡ଼ାପ୍ରେମୀ ଖୁବ୍ ଉପଭୋଗ କରିବେ ।