ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ହାଇଭୋଲଟେଜ୍ କପଲ ଡ୍ରାମା ଜାରି ରହିଛି । ଏହି ପାରିବାରିକ ସମସ୍ୟାର ସମାଧାନର ବାଟ ବାହାରି ପାରୁନାହିଁ । ନିଜ ନିଜ ଜିଦରେ ଅଟଳ ରହିଛନ୍ତି ତପସ୍ୱିନୀ ଦାଶ ଓ ସୁମିତ ସାହୁ । ସୁମିତ ପତ୍ନୀଙ୍କୁ ଡିଭୋର୍ସ ଦେବାକୁ ଚାହୁଁଥିବା ବେଳେ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହୁଁଛନ୍ତି । ତପସ୍ୱିନୀ ସ୍ୱାମୀଙ୍କ ଘର ଗେଟ ଭିତରେ ଧାରଣା ଜାରି ରଖିଥିବା ବେଳେ ସୁମିତ ଗୋଟିକ ପରେ ଗୋଟିଏ ଛୁଟି ବଢ଼ାଇ ଚାଲିଛନ୍ତି । ଗତକାଲି ଏସଡିଜେଏମ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୪ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କୋର୍ଟଙ୍କ ଶୁଣାଣି ପରେ କହିଥିଲେ ତପସ୍ୱିନୀ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ସତରେ କ’ଣ ଏହି ଦମ୍ପତି ନ୍ୟାୟ ପାଇବେ । ଦୁଇଜଣଙ୍କର ଲକ୍ଷ୍ୟ ଅଲଗା ହୋଇଥିବାରୁ ନ୍ୟାୟ ମିଳିବା ଏତେ ସହଜ ମନେହେଉନାହିଁ । ତେବେ କେତେଦିନ ଏହି ପାଲା ଚାଲିଥିବ । କେତେଦିନ ଏମିତି ଅଡିଓ, ଭିଡିଓ ବା ଆଉ କିଛି ଭାଇରାଲ୍ ହୋଇଚାଲିଥିବ । କେତେଦିନ ତପସ୍ୱିନୀ ଏମିତି ଧାରଣାରେ ବସି ରହିବେ ଆଉ କେତେଦିନ ସୁମିତ ଏମିତି ଛୁଟିରେ ରହି ଚାଲିଥିବେ । କଥାରେ ଅଛି, ମଣିଷ ନିଜ ଜିଦ, କ୍ରୋଧକୁ ନିୟନ୍ତ୍ରଣ କରିନପାରିଲେ ଅନ୍ୟ କାହାର କ’ଣ କ୍ଷତି କରିବ ତାହା ତ ଅଲଗା କଥା । ମାତ୍ର ସେ ନିଜର ଯେଉଁ କ୍ଷତି ସାଧନ କରେ ତାହା ନିଜ ଦେହକୁ ଛୁରୀରେ କ୍ଷତାକ୍ତ କରିବା ସହିତ ସମାନ ଅଟେ । ତେଣୁ ଯେତେ ଶୀଘ୍ର ଏହି ଦମ୍ପତି ନିଜ ନିଜର ଭୁଲ ସ୍ୱୀକାର କରି ସମାଧାନର ବାଟ ବାହାର କରିବେ ତାହା ସମସ୍ତଙ୍କ ପାଇଁ ମଙ୍ଗଳ ହେବ ।