fbpx

ନିଯୁକ୍ତି ପାଇଲେ ୧୫୩ OCS ଅଧିକାରୀ: ମୁଖ୍ୟମନ୍ତ୍ରୀ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ରେ କୃତକାର୍ଯ୍ୟ ହୋଇଥିବା ୧୫୩ ଜଣ ଅଧିକାରୀ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବନିଯୁକ୍ତ ଅଧିକାରୀମାନଙ୍କ ସହ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଓରିଏଣ୍ଟସନ ପ୍ରୋଗ୍ରାମରେ ସାମିଲ ହୋଇଥିଲେ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଇ-ଡାଏରୀକୁ ଉନ୍ମୋଚନ କରିଥିଲେ, ଯାହାକୁ ସମସ୍ତେ ନିଜ ମୋବାଇଲରେ ଦେଖିପାରିବେ ।

ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ପ୍ରଶାସନିକ ସେବା କେବଳ ଏକ ବୃତ୍ତି ନୁହେଁ, ଏହା ସାଧାରଣ ଜନତା ଓ ମାତୃଭୂମିର ସେବା କରିବାର ଏକ ବଳିଷ୍ଠ ମାଧ୍ୟମ । ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ଜନସାଧାରଣଙ୍କ ଉପରୁ ବିଶ୍ୱାସ ହରାଇବା ଅନୁଚିତ । ପ୍ରଶାସନିକ ଅଧିକାରୀଙ୍କର ପ୍ରତ୍ୟେକ ପଦକ୍ଷେପ ଜନସାଧାରଙ୍କ ସହ ଯୋଡ଼ି ହେବାରେ ସାହାଯ୍ୟ କରେ । ସମାଜର କଲ୍ୟାଣ କ୍ଷେତ୍ରରେ ଗରିବ ଲୋକଙ୍କ ବହୁତ ଯୋଗଦାନ ରହିଛି । ଯୁବ ଅଧିକାରୀଙ୍କ କଠିନ ପରିଶ୍ରମ ବଳରେ ଲୋକମାନେ ପ୍ରଶାସନ ପ୍ରତି ଅଧିକ ବିଶ୍ୱାସ କରିବେ ଓ ଏହାଦ୍ୱାରା ରାଜ୍ୟ ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିବ । ଲୋକଙ୍କ ଘରେ ଘରେ ପ୍ରକୃତ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ‘୫ଟି’, ‘ମୋ ସରକାର’ ଭଳି ପରିବର୍ତ୍ତନ ଅଣାଯାଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.