fbpx

ଆସନ୍ତା ସପ୍ତାହରୁ ରାଜଧାନୀବାସୀଙ୍କ ପାଇଁ କଠୋର ଆଇନ୍: ଏଣିକି ଆମ୍ବୁଲାନ୍ସକୁ ନ ଛାଡ଼ିଲେ ୧୦ ହଜାର ଜରିମାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି କେହି ଟ୍ରାଫିକ ପୋଷ୍ଟର ବାମପାଖରେ ଗାଡ଼ି ରଖିପାରିବେ ନାହିଁ । ମଝି ରାସ୍ତାରେ ଗାଡ଼ି ରଖି ଗ୍ରୀନ୍ ସିଗନାଲକୁ ଅପେକ୍ଷା କରିବେ । ଯଦି ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟିବ, ତେବେ ତଣ୍ଡ ଗଣିବାକୁ ପଡ଼ିବ । ଏପରିକି ବାମପାଖରେ ଆମ୍ବୁଲାନ୍ସକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ନୂଆ କରି ଦାୟିତ୍ୱ ନେଇଥିବା ଟ୍ରାଫିକ ଡିସିପି ଏସ. ସୁଶ୍ରୀ ଏନେଇ ଗାଡ଼ି ଚାଳକଙ୍କୁ ଚେତାବନୀ ଦେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ।

ତେବେ ଏନେଇ ଏଜି ଛକରୁ ବାମ ପାଖ ରାସ୍ତା ସଫା ଆରମ୍ଭ ହୋଇଛି । ଏନେଇ ନାଲି ବାରିକେଡ୍ ଲଗାଯାଇ ‘ଫ୍ରି ଲେଫ୍ଟ ପାସେଜ’ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା । ଡିସିପି ଏହି ଅବସରର କ୍ୟାପିଟାଲ ଛକ, କିଟ ଛକ, ନାଲକୋ ଛକର ଟ୍ରାଫିକ ବ୍ୟବସ୍ଥା ପରଖିଥିଲେ । ପୂର୍ବରୁ ଟ୍ରାଫିକ ପୋଷ୍ଟର ନାଲି ସିଗନାଲ ଜଳୁଥିବା ସାଇଡରେ ଚାଳକମାନେ ପୂରା ରାସ୍ତାକୁ କବଜା କରିନେଉଥିଲେ । ଫଳରେ ବାମ ପାଖରେ ଗାଡ଼ି ଆଗକୁ ନ ଯାଇପାରି ଗ୍ରୀନ୍ ସିଗନାଲ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ଏନେଇ ଲୋକମାନେ ଅଯଥାରେ ହଇରାଣ ହେଉଥିଲେ । ତେଣୁ ଏହି ନୂଆ ନିୟମ ବିଷୟରେ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ । ଆସନ୍ତା ସପ୍ତାହରୁ ବାମ ପାଖରେ ଗାଡ଼ି ରଖିଲେ, ରଙ୍ଗ ରୁଟରେ ଯାଉଥିଲେ, ଆମ୍ବୁଲାନ୍ସକୁ ନ ଛାଡ଼ିଲେ, ଫାୟାର ଓ ପୋଲିସ ଗାଡ଼ିକୁ ନ ଛାଡ଼ିଲେ ଫାଇନ୍ ଲାଗୁ ହେବ । ଏଥିସହ ପୁଣି ଲିଭି ଯାଇଥିବା ଜେବ୍ରା କ୍ରସିଂକୁ ଲେପ ଦିଆଯିବା, ରାଜଧାନୀର ସିସିଟିଭି ଠିକରେ ଚାଲୁଛି କି ନାହିଁ ସେ ନେଇ ଡିସିପି ଆଲୋଚନା କରିଥିଲେ ।

Get real time updates directly on you device, subscribe now.