fbpx

ମହାରାଷ୍ଟ୍ରରେ ୧୦ ଜାନୁଆରୀରୁ ନାଇଟ କର୍ଫ୍ୟୁ: ଜିମ୍, ସେଲୁନ୍ ବନ୍ଦ ରଖିବାକୁ ନିଷ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତିରେ ନାଇଟ କର୍ଫ୍ୟୁ ଲଗାଇବାପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସ୍କୁଲ କଲେଜ ଫେବୃଆରୀ ୧୦ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହା ସହ ସରାକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ୫୦% କ୍ଷମତାରେ ପରେ ସଞ୍ଚାଳିତ କରିବା ପାଇଁ ନିର୍ଦ୍ଦେଶ ରହିଛି । ରେଷ୍ଟୁରାଣ୍ଟ, ସପିଙ୍ଗ୍ ମଲ୍ ଏବଂ ଥିଏଟର ଆଦି ୫୦% କ୍ଷମତାରେ ଚାଲିବାକୁ ନିର୍ଦ୍ଦେଶ ଦେଇଛି । ସେହିଭଳି ଜିମ୍, ସେଲୁନ୍ ଆଦିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଶନିବାର ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଥିମ ପାର୍କ, ଚିଡ଼ିଆଖାନା, ମ୍ୟୁଜିୟମ ଏବଂ ଅନ୍ୟ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିବ । ରାତିରେ ନାଇଟ କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ରହିବ । ରାତି ୧୧ଟା ପରେ ଅତ୍ୟାବଶ୍ୟକ ସେବା ଛାଡ଼ି ଅନ୍ୟ କୌଣସି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଏହା ସହ କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କେବଳ ଶନିବାର ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୩୩ ନୂଆ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ୧,୦୦୯ ଓମିକ୍ରନ ସଂଖ୍ୟା ପହଞ୍ଚିଛି ।

Get real time updates directly on you device, subscribe now.