ନୂଆପଡ଼ାରେ ବାଘ ଆତଙ୍କ: ଗାଈକୁ ଆକ୍ରମଣ କରି ଟାଣିନେଲା ଜଙ୍ଗଲକୁ

ନୂଆପଡ଼ା : ନୂଆପଡ଼ା ସଦର ବ୍ଳକ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ବାଘ ଆତଙ୍କ । ଗାଁ ନିକଟରେ ଏକ ଗାଈକୁ ମାରି ଖାଇଲା ବାଘ । ରବିବାର ସକାଳେ ଏଭଳି ଅଘଟଣ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ରବିବାର ସକାଳ ୭ଟାରେ ଧରମବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲ ପଟେ ଚରାଇ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଜଙ୍ଗଲ ପଟେ ଚାଲି ଯାଇଥିଲା ।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏହି ଘଟଣା ପରେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ବାଘକୁ ନେଇ ସଚେତନ କରୁଛନ୍ତି ।

Get real time updates directly on you device, subscribe now.