ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକର ନୂଆ ନୂଆ ନିଷ୍ପତ୍ତି ଫଳରେ ଅନେକ ସମୟରେ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ବ୍ୟାଙ୍କିଂ ସେବାକୁ ନେଇ ଗ୍ରାହକମାନେ ନିୟମିତ ଅପଡେଟ୍ ରହିବା ଆବଶ୍ୟକ । ନିକଟରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍ ବ(ପିଏମସି) ବ୍ୟାଙ୍କ ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହିତ ମର୍ଜର ହୋଇଥିଲା । ତେବେ ଏପରି ସ୍ଥଳେ କିଛି ଗ୍ରାହକମାନେ ୧୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଜମା ଅର୍ଥ ବ୍ୟାଙ୍କରୁ ଉଠାଇ ପାରିବେ ନାହିଁ ବୋଲି ଜଣାପଡ଼ିଛି । ତେଣୁ ବାଧ୍ୟହୋଇ ଗ୍ରାହକମାନେ ସରକାରଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏନେଇ କୋ-ଅପରେଟିଭ୍ ସୋସାଇଟିଜ୍ ସଂଗଠନ ସହକାର ଭାରତୀ ପକ୍ଷରୁ କୁହାଯାଇଛି ଯେ, ପିଏମସି ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ଉଠାଣ ଉପରେ ୧୦ ବର୍ଷ ଲକ-ଇନ୍ ପିରିଅଡ୍ ଲାଗୁ ହୋଇଛି । ଏଥିସହ ଜମା ଉପରେ ମାତ୍ର ୨.୭୫ ପ୍ରତିଶତ ସୁଧ ମିଳିବ । ଏହି ନିଷ୍ପତ୍ତି ଫଳରେ ପିଏମସିର ଗ୍ରାହକଙ୍କ ଜୀବନ ବର୍ବାଦ ହୋଇଯିବ । ତେଣୁ ଏପରି ସ୍ଥଳେ ସରକାର ଓ ରିଜର୍ଭ ବ୍ୟାଙ୍କ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସହକାର ଭାରତୀ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଜମାକାରୀଙ୍କ ସଂଗଠନ ପିଏମସି ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡର ଫୋରମ ଏହି ମାମଲାରେ ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି । ଏହି ସ୍କିମ ଦ୍ୱାରା କେବଳ ଏନବିଏଫସିକୁ ଫାଇଦା ମିଳୁଥିବା ବେଳେ ଗ୍ରାହକଙ୍କୁ ଟାର୍ଗେଟ୍ କରାଯାଉଥିବା ଫୋରମ୍ ପକ୍ଷରୁ କୁହାଯାଇଛି ।
ତେବେ ଜଣାପଡ଼ିଛି ଯେ, ସରକାର ଯେଉଁ ସ୍କିମକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି, ତା’ର ପ୍ରଥମ ରାଉଣ୍ଡ ପେମେଣ୍ଟରେ ଜମାକାରୀଙ୍କୁ ସର୍ବାଧିକ ୫ ଲକ୍ଷ ମିଳିପାରିବ । ଯେଉଁ ଗ୍ରାହକଙ୍କ ଖାତାରେ ଏହି ପରିମାଣଠାରୁ ଅଧିକ ଅର୍ଥ ଥିବ, ସେ ଟଙ୍କା ଉଠାଣ ସମୟରେ ସମସ୍ୟାର ସମ୍ମୁଖୀନ ହେବେ । ଏଥିପାଇଁ ଜମାକାରୀ ଟଙ୍କା ପାଇଁ ୧୦ ବର୍ଷ ଅପେକ୍ଷା କରିବେ । ପ୍ରଥମ ୫ ବର୍ଷ ମଧ୍ୟରେ ଗ୍ରାହକଙ୍କୁ ବାର୍ଷିକ ୫୦ ହଜାରରୁ ୫.୫ ଲକ୍ଷ ପର୍ଯ୍ୟନ୍ତ ମିଳିପାରିବ । ଅବଶିଷ୍ଟ ଅର୍ଥ ୧୦ ବର୍ଷ ପରେ ମିଳିବ । ପ୍ରଥମ ୫ ବର୍ଷ ମଧ୍ୟରେ ବାର୍ଷିକ ୨.୭୫ ପ୍ରତିଶତ ସୁଧା ଜମାକାରୀଙ୍କୁ ମିଳିବ ।