ଗରିବ କୃଷକଙ୍କ ଆକାଉଣ୍ଟକୁ ଆସିଲା ୧୫ ଲକ୍ଷ: ମୋଦି ପଠାଇଛନ୍ତି ଭାବି ସଙ୍ଗେସଙ୍ଗେ ଖର୍ଚ୍ଚ କରିଦେଲେ ୯ ଲକ୍ଷ, ଆଉ ତା’ପରେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୪ ମସିହା ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ପ୍ରତିଶ୍ରୁତି ଜନତାଙ୍କ ପାଇଁ କାଳ ହୋଇଛି । ଦେଶକୁ କଳାଧନ ଆସିବ ଓ ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ପଠାଯିବ ବୋଲି ମୋଦି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅନେକ ଗରିବ ତଥା ଅଶିକ୍ଷିତ ଶ୍ରେଣୀର ଲୋକେ ଏହାକୁ ସତ ବୋଲି ଭାବି ଆଜି ବି ଟଙ୍କା ପାଇବାକୁ ଚାହିଁ ରହିଛନ୍ତି । ନିକଟରେ ଜଣେ ବ୍ୟକ୍ତିଙ୍କ ଜନଧନ ଆକାଉଣ୍ଟକୁ ହଠାତ୍ ୧୫ ଲକ୍ଷ ଟଙ୍କା ଆସିଥିଲା । ଏହାପରେ ମୋଦି ଟଙ୍କା ପଠାଇଛନ୍ତି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଖୁସି ବ୍ୟକ୍ତ କରିବା ସହ ଉକ୍ତ ଅର୍ଥକୁ ଘର ନିର୍ମାଣରେ ବିନିଯୋଗ କରିଦେଇଥିଲେ । ମାତ୍ର ଏହାର କିଛିଦିନ ପରେ ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲା । ଏଭଳି ସ୍ଥିତିରେ ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ମୋଦିଙ୍କ ପାଇଁ ହରଡ଼ଘଣାରେ ପଡ଼ିଯାଇଛନ୍ତି ।
ଜଣାପଡ଼ିଛି ଯେ, ଗତ ବର୍ଷ ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରର ଔରଙ୍ଗାବାଦର ପୈଠିକ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜନଧନ ଖାତାକୁ ୧୫ ଲକ୍ଷ ଟଙ୍କା ଆସିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଟଙ୍କା ପଠାଇଛନ୍ତି ବୋଲି ଭାବି ସେ ଚିଠି ଲେଖି ଧନ୍ୟବାଦ ଜଣାଇବା ସହ ଉକ୍ତ ଅର୍ଥକୁ ଘର ନିର୍ମାଣରେ ଲଗାଇଥିଲେ । ମାତ୍ର ଟଙ୍କା ଭୁଲରେ ଆସିଥିବା ନେଇ ବ୍ୟାଙ୍କ ତରଫରୁ ୬ ମାସ ପରେ ତାଙ୍କ ପାଖକୁ ଏକ ନୋଟିସ୍ ଆସିଥିଲା । ଉକ୍ତ ଅର୍ଥ ଫେରସ୍ତ କରିବାକୁ ବ୍ୟାଙ୍କ କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ । ଏହାପରେ ସମ୍ପୃକ୍ତ ଗରିବ କୃଷକ ଜଣଙ୍କ ଏବେ ଏତେ ମୋଟାଅଙ୍କର ଅର୍ଥ କେଉଁଠୁ ଆଣିବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେ ପ୍ରଥମେ ତାଙ୍କ ଆକାଉଣ୍ଟରୁ ୯ ଲକ୍ଷ ଉଠାଇ ଦେଇଥିବା ବେଳେ ଅବଶିଷ୍ଟ ୬ ଲକ୍ଷ ବାଲାନ୍ସକୁ ବ୍ୟାଙ୍କ ଫେରାଇ ନେଇଛି । ଏବେ ଆଉ ୯ ଲକ୍ଷ ଫେରସ୍ତ କରିବାକୁ ବ୍ୟାଙ୍କ ତାଙ୍କ ଉପରେ ଚାପ ପକାଉଛି । ପଞ୍ଚାୟତ ପାଇଁ ଆସିଥିବା ଅର୍ଥ ଭୁଲ ବଶତଃ ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ବୋଲି ବ୍ୟାଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।